ଦିନିକିଆ ନୂଆପଡା ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ : ମାଓ ଦମନ ରଣନୀତି ନେଇ କଲେ ସମୀକ୍ଷା
ଭବାନୀପାଟଣା: ପୋଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ରବିବାର କଳାହାଣ୍ଡି ଜିଲା ଗସ୍ତରେ ଯାଇଥିଲେ । ଏହି ଅବସରରେ ପୋଲିସ ମହାନିର୍ଦେଶକ ଶ୍ରୀ ବଂଶଲ ଅବାଧ, ନିରପକ୍ଷ ଓ ଶାନ୍ତିଶୃଙ୍ଖଳା ସହ ପଂଚାୟତ ନିର୍ବାଚନ ପାଇଁ ପୋଲିସ ପ୍ରସ୍ତୁତ ଏବଂ ବର୍ତମାନ ମାଓ ଗତିବିଧି ନିୟନ୍ତ୍ରଣରେ ରହିଛି ବୋଲି କହିବା ସହିତ କଳାହାଣ୍ଡି ଜିଲାରେ ମାଓବାଦୀ ମାନଙ୍କର କାର୍ଯ୍ୟକଳାପ, ସେମାନଙ୍କ ଗତିବିଧି ଓ କାର୍ଯ୍ୟକଳପ ଉପରେ ଆଲୋଚନା କରିଥିଲେ । ଏହା ସହିତ ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟାନୁଷ୍ଠାନ, ମାଓ ଅଂଚଳର ସମସ୍ୟା ଓ ତାର ସମାଧାନ ଉପରେ ମଧ୍ୟ ଆଲୋଚନା କରିଥିଲେ । ମାଓଦମନ ପାଇଁ ନିୟୋଜିତ ସିଆରପିଏଫଙ୍କ ସମସ୍ୟା ଏବଂ ସ୍ଥାନୀୟ ପୋଲିସ ମଧ୍ୟରେ ସମନ୍ୱୟରେ ରହି ମାଓଦମନ କାର୍ଯ୍ୟ ଅଧିକ କ୍ରିୟାଶୀଳ କରାଯାଇପାରିବ ବୋଲି କହିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ଓ ଆଗାମୀ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନ କିପରି ଅବାଧ, ନିରପକ୍ଷ ଏବଂ ଶାନ୍ତିଶୃଙ୍ଖଳା ସହିତ କରାଯିବ ଓ ପୋଲିସ ସେଥିପ୍ରତି କେଉଁ ପ୍ରକାଶ ଯୋଜନା ପ୍ରସ୍ତୁତି ସେ ସମ୍ପର୍କରେ ସୂଚନା ଦେଇଥିଲେ ।
ରବିବାର ଦିନ ଓଡିଶା ପୋଲିସ ମହା ନିର୍ଦେଶକ ସୁନୀଲ କୁମାର ବଂଶଲ ଓ ଅନ୍ୟ ଉଚ୍ଚ ପୋଲିସ ଅଧିକାରୀ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣାସ୍ଥିତ ଜିଲା ପୋଲିସ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ଜିଲାର ଉଚ୍ଚ ପୋଲିସ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ବୈଠକରେ ଡିଜି (ଗୋଇନ୍ଦା) ଲଳିତ କୁମାର ଦାସ, ଆଇଜି (ଅପରେସନ୍) ଅମିତାଭ ଠାକୁର ଏବଂ କୋରାପୁଟସ୍ଥିତ ଦକ୍ଷିଣ ଓ ପଶ୍ଚିମ ରେଞ୍ଜ ଡିଆଇଜି ଅନିରୁଦ୍ଧ ସିଂହ, କଳାହାଣ୍ଡି ଏସପି ଡା. ଶ୍ରବଣ ବିବେକ ଏମ୍. ଓ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆଗାମୀ ପଂଚାୟତ ନିର୍ବାଚନ କିପରି ଆଚରଣ ବିଧି ଉଲ୍ଲଙ୍ଘନ ନ ହେବ ଓ ଅବାଧ ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ କରାଯିବ ବିଶେଷ କରି ମାଓ ଅଂଚଳରେ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ଲୋକେ ଭୋଟ୍ ଦେଇପାରିବେ, ନିର୍ବାଚନ ପରିଚାଳନାରେ କୌଣସି ବିଶୃଙ୍ଖଳା ସୃଷ୍ଟି ନହେବ, ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ଅନ୍ୟାନ୍ୟ କେଉଁ ପ୍ରକାର ଅପରାଧ ଅଧିକ ହେଉଛି ତାହା କିପରି ରୋକାଯାଇପାରିବ ଏବଂ ଅଧିକରୁ ଅଧିକ ଦୋଷୀ କୋର୍ଟରେ ଯେପରି ଦଣ୍ଡିତ ହୋଇପାରିବେ ଆଦି ଉପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।