ଆଜି ବାଲେଶ୍ୱର ଗସ୍ତରେ ଆସିବେ ପୋଲିସ ଡିଜି ଶ୍ରୀ ଅଭୟ
- ଅନ୍ତଃରାଜ୍ୟ ଚେକ୍ପୋଷ୍ଟର ସ୍ଥିତି ସମୀକ୍ଷା ସହ ଯାଞ୍ଚ୍ ପ୍ରକ୍ରିୟା ଅନୁଧ୍ୟାନ କରିବେ
ବାଲେଶ୍ୱର : ଆଜି ବାଲେଶ୍ୱର ଗସ୍ତରେ ଆସିବେ ପୋଲିସ ଡିଜି ଶ୍ରୀ ଅଭୟ। ସକାଳ ସାଢ଼େ ୯ଟାରେ ଡିଜି ଅଭୟ ସଡ଼କପଥରେ ଆସି ବାଲେଶ୍ୱର ସଦର ମହକୁମାରେ ପହଞ୍ଚିବେ। ପରେ ପୂର୍ବାଞ୍ଚଳ ଜୋନ୍ ଆଇଜି ଦୀପ୍ତେଶ ପଟ୍ଟନାୟକ ଏବଂ ଜିଲା ଆରକ୍ଷୀ ଅଧିକ୍ୟଙ୍କ ସୁଧାଂଶୁ ଶେଖର ମିଶ୍ରଙ୍କ ସହ ଜଳେଶ୍ୱରର ଲକ୍ଷ୍ମଣନାଥ ସ୍ଥିତ ତନଖି ଫାଟକ ନିକଟକୁ ଯିବେ। ସେଠାରେ ଅନ୍ତଃରାଜ୍ୟ ଚେକ୍ପୋଷ୍ଟର ସ୍ଥିତି ସମୀକ୍ଷା କରିବା ସହ ଯାଞ୍ଚ୍ ପ୍ରକ୍ରିୟା ଅନୁଧ୍ୟାନ କରିବେ। ତେବେ ଡିଜିଙ୍କ ଗସ୍ତ ନେଇ ଜିଲା ପୋଲିସର ତତ୍ପରତା ଦେଖିବାକୁ ମିଳିଛି।
ମହାମାରୀ କରୋନାର ଦ୍ଵିତୀୟ ଲହରରେ ବାଲେଶ୍ୱରର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସେପଟେ ସୀମାରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହେବା ସତ୍ତ୍ୱେ ପ୍ରତିଦିନ ଶହଶହ ସଂଖ୍ୟାରେ ପଶ୍ଚିମବଙ୍ଗ ଫେରନ୍ତା ସୀମା ଡେଇଁ ଘରକୁ ଫେରୁଛନ୍ତି। ପଶ୍ଚିମବଙ୍ଗ ପଟୁ ଓଡ଼ିଶାରେ ପ୍ରବେଶ ଦ୍ୱାର କୁହାଯାଉଥିବା ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ଜିଲ୍ଲାର ଲକ୍ଷ୍ମଣନାଥ ତନଖି ପାଠକ ଏବଂ ଭୋଗରାଇ ବ୍ଲକର ଉଦୟପୁର ସୀମା ଏବେ ପୁଣିଥରେ ସରକାର ଓ ପୋଲିସ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଆନ୍ତଃରାଜ୍ୟ ଚେକ୍ପୋଷ୍ଟକୁ ସିଲ୍ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ସୀମାକୁ ଲାଗି ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ଅନେକ ଗାଁ ଲାଗିଥିବାରୁ ଏସବୁ ଅଞ୍ଚଳକୁ ଅନେକ ଲୋକ ପଶ୍ଚିମବଙ୍ଗରୁ ଫେରିଆସୁଥିବା ଦେଖାଯାଉଛି।