ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ବାର୍ତାଳାପ କଲେ ପ୍ରଧାନମନ୍ତ୍ରୀ

- ଭାରତରେ ପ୍ରଥମ ରାଜ୍ୟ ଭାବେ ହିମାଚଳ ଏହାର ସମସ୍ତ ଯୋଗ୍ୟ ଲୋକଙ୍କୁ କରୋନା ଟିକାର ଅତିକମରେ ଗୋଟିଏ ଡୋଜ ପ୍ରଦାନ କରିଛି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଙ୍ଗ ଜରିଆରେ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ବାର୍ତାଳାପ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ସାଂସଦ, ବିଧାୟକ, ପ ଂଚାୟତ ନେତାଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବାର୍ତାଳାପ ବେଳେ, ଡୋଡରା କ୍ୱାର ଶିମଲାର ସିଭିଲ ହସ୍ପିଟାଲର ଡା. ରାହୁଲଙ୍କ ସହ କଥାବାର୍ତା କରି ପ୍ରଧାନମନ୍ତ୍ରୀ ଟିକା ନଷ୍ଟ ମାତ୍ରାକୁ କମ୍ କରିଥିବାରୁ ଟିମ୍ର ପ୍ରଶଂସା କରିଛନ୍ତି ଏବଂ ଦୁର୍ଗମ ଅ ଂଚଳରେ ସେବା ଯୋଗାଣ ଲାଗି ସେମାନଙ୍କ ଅନୁଭୂତି ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଥୁନାଗ, ମଣ୍ଡିର ଟିକାକରଣ ହିତାଧିକାରୀ ଶ୍ରୀ ଦୟାଲ ସିଂହଙ୍କ ସହ କଥା ହୋଇ ଟିକାକରଣ ସୁବିଧା ଓ ଟିକାକରଣ ସଂକ୍ରାନ୍ତ ଗୁଜବଗୁଡ଼ିକର ମୁକାବିଲା ବାବଦ ଉପାୟ ନେଇ ଅବଗତ ହୋଇଛନ୍ତି । ହିତାଧିକାରୀ ଜଣକ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ନେତୃତ୍ୱ ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଟିମ ଆଧାରିତ ଉଦ୍ୟମ ନିମନ୍ତେ ହିମାଚଳ ଟିମକୁ ପ୍ରଶଂସା କରିଛନ୍ତି । କୁଲ୍ଲୁର ଆଶାକର୍ମୀ ନିରମା ଦେବୀଙ୍କଠାରୁ ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନ ସଂକ୍ରାନ୍ତରେ ତାଙ୍କର ଅନୁଭୂତି ନେଇ ଅବଗତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନରେ ସହାୟତା ଲାଗି ସ୍ଥାନୀୟ ପରମ୍ପରାଗୁଡ଼ିକର ଉପଯୋଗ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଛନ୍ତି । ସେ ଟିମ ଦ୍ୱାରା ବିକଶିତ ଆଲୋଚନା ଓ ସହଯୋଗ ଆଧାରିତ ମଡେଲର ପ୍ରଶଂସା କରିଛନ୍ତି । ତାଙ୍କ ଟିମ ଟିକା ଲଗାଇବା ପାଇଁ କିଭଳି ଦୂର ସ୍ଥାନକୁ ଯାତ୍ରା କରିଥିଲେ, ତାହା ସେ ପଚାରି ବୁଝିଛନ୍ତି ।
ହମିରପୁରର ଶ୍ରୀମତୀ ନିର୍ମଳା ଦେବୀଙ୍କ ସହ ପ୍ରଧାନମନ୍ତ୍ରୀ ବରିଷ୍ଠ ନାଗରିକଙ୍କ ଅନୁଭୂତି ଉପରେ ଆଲୋଚନା କରିଛନ୍ତି । ସେ ଟିକାର ପର୍ଯ୍ୟାପ୍ତ ଯୋଗାଣ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି ଅଭିଯାନ ଲାଗି ନିଜର ଆଶୀର୍ବାଦ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ହିମାଚଳରେ ଜାରି ରହିଥିବା ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକର ପ୍ରଶଂସା କରିଛନ୍ତି । ଉନାର କର୍ମୋ ଦେବୀ ଜୀଙ୍କୁ ୨୨,୫୦୦ ଲୋକଙ୍କୁ ଟିକା ଲଗାଇବାର ଗୌରବ ପ୍ରାପ୍ତ ହୋଇଛି । ପାଦରେ ଫ୍ରାକଚର ସତ୍ୱେ ଏହି ଦିଗରେ ନିଜର କାର୍ଯ୍ୟ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ସାହସକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ମୋ ଦେବୀଙ୍କ ଭଳି ଲୋକଙ୍କ ପ୍ରୟାସ ଦ୍ୱାରା ହିଁ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଲାହୋଲ ଓ ସ୍ପିତିର ଶ୍ରୀ ନୱାଙ୍ଗ ଉପାସକଙ୍କ ସହ କଥାବାର୍ତା କରି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ ଯେ ସେ ଲୋକଙ୍କୁ ଟିକା ନେବାକୁ ମନାଇବା ଲାଗି କିଭଳି ଜଣେ ଆଧ୍ୟାତ୍ମିକ ନେତା ଭାବେ ନିଜର ଭୂମିକାକୁ ବ୍ୟବହାର କଲେ । ଶ୍ରୀ ମୋଦୀ ଉକ୍ତ ଅ ଂଚଳରେ ଜନଜୀବନ ଉପରେ ଅଟଳ ସୁଡ଼ଙ୍ଗର ପ୍ରଭାବ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଶ୍ରୀ ଉପାସକ ଏହା ମଧ୍ୟଦେଇ ଯାତ୍ରା ସମୟରେ ହେଉଥିବା ହ୍ରାସ ଏବଂ ଉନ୍ନତ ଯୋଗାଯୋଗ ବାବଦରେ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ଲାହୋଲ-ସ୍ପିତିକୁ ସବୁଠୁ ଦ୍ରୁତ ଟିକାକରଣ ଅଭିଯାନକୁ ଆପଣାଇବାରେ ସହାୟତା କରିବା ନେଇ ବୌଦ୍ଧ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାର୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ବ୍ୟକ୍ତିଗତ ଓ ଅନୌପଚାରିକ ଢଙ୍ଗରେ ଲୋକଙ୍କ ସହ କଥା ହୋଇଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି ସମ୍ବୋଧନ କରି କହିଛନ୍ତି ଯେ ହିମାଚଳ ପ୍ରଦେଶ ୧୦୦ ବର୍ଷର ସବୁଠୁ ବଡ଼ ମହାମାରୀ ବିରୋଧୀ ଲଢ଼େଇରେ ଏକ ଚାମ୍ପିଅନ ଭାବେ ଉଭା ହୋଇଛି । ସେ କହିଛନ୍ତି, ହିମାଚଳ ଭାରତର ପ୍ରଥମ ରାଜ୍ୟ ହୋଇଛି, ଯାହା କି ନିଜର ସମସ୍ତ ଯୋଗ୍ୟ ଲୋକଙ୍କୁ କରୋନା ଟିକାର ଅତିକମ୍ରେ ଗୋଟିଏ ଡୋଜ ଲଗାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସଫଳତା ଆତ୍ମବିଶ୍ୱାସ ଓ ଆତ୍ମନିର୍ଭର ଭାରତର ମହତ୍ୱକୁ ରେଖାଙ୍କିତ କରିଛି । ସେ କହିଛନ୍ତି ଯେ ଭାରତରେ ଟିକାକରଣର ସଫଳତା ଏଠାକାର ନାଗରିକଙ୍କ ଭାବନା ଓ କଠିନ ପରିଶ୍ରମର ପରିଣାମ । ଭାରତ ପ୍ରତିଦିନ ୧.୨୫ କୋଟି ଟିକାର ରେକର୍ଡ ଗତିରେ ଟିକାକରଣ କରାଉଛି । ଏହାର ଅଭିପ୍ରାୟ ଯେ ଭାରତରେ ଗୋଟିଏ ଦିନରେ ଟିକାକରଣ ସଂଖ୍ୟା ଅନେକ ଦେଶର ଜନସଂଖ୍ୟାଠାରୁ ଅଧିକ । ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନରେ ଯୋଗଦାନ ଲାଗି ଚିକିତ୍ସକ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ ଓ ମହିଳାମାନଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଲେ ଯେ ସେ ସ୍ୱାଧୀନତା ଦିବସ ଅବସରରେ ‘ସବକା ପ୍ରୟାସ’ ଶୀର୍ଷକରେ ଚର୍ଚ୍ଚା କରିଥିଲେ, ସେ କହିଛନ୍ତି ଯେ ଏହି ସଫଳତା ତାହାର ଅଭିବ୍ୟକ୍ତି । ସେ କହିଛନ୍ତି ଯେ ହିମାଚଳ ଦେବଦେବୀଙ୍କ ଭୂମି । ପ୍ରଧାନମନ୍ତ୍ରୀ ଆଲୋଚନା ଓ ସହଯୋଗର ସାମଞ୍ଜସ୍ୟପୂର୍ଣ୍ଣ ମଡେଲର ପ୍ରଶଂସା ମଧ୍ୟ କରିଛନ୍ତି ।
ଲାହୋଲ-ସ୍ପିତି ଭଳି ସୁଦୂର ଜିଲ୍ଲାରେ ମଧ୍ୟ ହିମାଚଳ ଶତପ୍ରତିଶତ ପ୍ରଥମ ଡୋଜ ଦେବାରେ ଅଗ୍ରଣୀ ରହିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ହେଉଛି ସେହି ଅ ଂଚଳ, ଯାହା କି ଅଟଳ ସୁଡ଼ଙ୍ଗ ନିର୍ମାଣ ପୂର୍ବରୁ ମାସ ମାସ ଧରି ଦେଶର ବାକି ଅ ଂଚଳଗୁଡ଼ିକରୁ ବିଚ୍ଛିନ୍ନ ହୋଇପଡ଼ିଥିଲା । ସେ କୌଣସି ପ୍ରକାର ଗୁଜବ ଅଥବା ମିଥ୍ୟା ସୂଚନାକୁ ଟିକାକରଣ ପ୍ରୟାସରେ ପ୍ରତିବନ୍ଧକ ସାଜିବାକୁ ନ ଦେବା ଲାଗି ହିମାଚଳ ଲୋକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶର ଗ୍ରାମୀଣ ସମାଜ ବିଶ୍ୱର ସର୍ବବୃହତ ତଥା ଦ୍ରୁତତମ ଟିକାକରଣ ଅଭିଯାନକୁ କିଭଳି ସଶକ୍ତ ବନାଉଛି, ହିମାଚଳ ପ୍ରମାଣ ତାହା ପ୍ରମାଣ କରିଦେଖାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଶକ୍ତ ସଂଯୋଗର ସିଧା ଫାଇଦା ପର୍ଯ୍ୟଟନକୁ ମଧ୍ୟ ମିଳୁଛି, ଫଳ, ପନିପରିବା ଉତ୍ପାଦନ କରୁଥିବା ଚାଷୀ-ବଗିଚା କର୍ମୀଙ୍କୁ ମଧ୍ୟ ଏହାର ଲାଭ ମିଳୁଛି । ଗ୍ରାମଗୁଡ଼ିକରେ ଇଂଟରନେଟ ସଂଯୋଗର ଉପଯୋଗ କରି ହିମାଚଳର ଯୁବ ପ୍ରତିଭାମାନେ ନିଜର ସଂସ୍କୃତି ଓ ପର୍ଯ୍ୟଟନର ନୂଆ ସମ୍ଭାବନାଗୁଡ଼ିକୁ ଦେଶବିଦେଶକୁ ନେଇଯାଇ ପାରିବେ । ସଦ୍ୟ ଅଧିସୂଚିତ ଡ୍ରୋନ ନିୟମଗୁଡ଼ିକ ବାବଦରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ନିୟମ ସ୍ୱାସ୍ଥ୍ୟ ଓ କୃଷି ଭଳି ଅନେକ କ୍ଷେତ୍ରରେ ସହାୟତା କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ନୂଆ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବ । ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ କରିଥିବା ଘୋଷଣାଗୁଡ଼ିକରୁ ଆଉ ଏକ ଘୋଷଣା ବାବଦରେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିମନ୍ତେ ଏକ ସ୍ୱତନ୍ତ୍ର ଅନଲାଇନ ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ଏହା ମାଧ୍ୟମରେ ଆମର ଭଉଣୀମାନେ ନିଜ ଉତ୍ପାଦ ଦେଶ ଓ ବିଦେଶରେ ବିକ୍ରି କରିପାରିବେ । ସେମାନେ ସେଓ, କମଳା, କିନ୍ନୁ, ଛତୁ, ଟମାଟୋ ଭଳି ଅନେକ ଉତ୍ପାଦକୁ ଦେଶର କୋଣାନୁକୋଣରେ ପହ ଂଚାଇବାରେ ସମର୍ଥ ହୋଇପାରିବେ । ‘ଆଜାଦୀ କା ଅମ୍ରିତ ମହୋତ୍ସବ’ ଅବସରରେ ପ୍ରଧାନମନ୍ତ୍ରୀ ହିମାଚଳର ଚାଷୀ ଓ ବଗିଚା କର୍ମୀମାନଙ୍କୁ ଆଗାମୀ ୨୫ ବର୍ଷ ମଧ୍ୟରେ ହିମାଚଳରେ କୃଷିକୁ ଜୈବିକ ବନାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଧୀରେ ଧୀରେ ଆମକୁ ନିଜ ମାଟିକୁ ରାସାୟନିକ ଉତ୍ପାଦରୁ ମୁକ୍ତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।