ଆଜି ପି-୨୦କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ଆଜି ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି-୨୦)କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ନୂଆଦିଲ୍ଲୀର ଯଶୋଭୂମିରେ ଏହାକୁ ଉଦଘାଟନ କରିବେ ମୋଦି ।
ଭାରତର ଜି-୨୦ ଅଧ୍ୟକ୍ଷତାର ବ୍ୟାପକ ଢାଞ୍ଚାରେ ଭାରତୀୟ ସଂସଦ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଛି । ଯାହାର ଥିମ ରହିଛି “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ”। ଏହି କାର୍ଯ୍ୟକ୍ରମରେ ଜି-୨୦ ସଦସ୍ୟ ଏବଂ ଆମନ୍ତ୍ରିତ ଦେଶର ସଂସଦର ବାଚସ୍ପତିମାନେ ଯୋଗ ଦେବେ । ପ୍ରଥମ ଥର ପାଇଁ ପାନ୍-ଆଫ୍ରିକା ସଂସଦ ପି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବ । ଏହି ଶିଖର ସମ୍ମିଳନୀରେ ମୁଖ୍ୟତଃ ୪ଟି ଦିଗ ଉପରେ ଆଲୋଚନା ହେବ । ଯଥା-ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ଜୀବନରେ ପରିବର୍ତ୍ତନ; ମହିଳାଙ୍କ ନେତୃତ୍ବ ଭିତ୍ତିକ ବିକାଶ; ଏସଡିଜିକୁ ତ୍ୱରାନ୍ୱିତ କରିବା; ଏବଂ ଦୀର୍ଘସ୍ଥାୟୀ ଶକ୍ତି ରୂପାନ୍ତରଣ ।