ଆଜି ‘କର୍ତ୍ତବ୍ୟ ପଥ’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାର ମଧ୍ୟ କରିବେ ଅନାବରଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଇଣ୍ଡିଆ ଗେଟ୍ରେ ‘କର୍ତ୍ତବ୍ୟ ପଥ’ର ଉଦ୍ଘାଟନ କରିବେ । ଏହାସହ ଏହି ଅବସରରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗ୍ରେନାଇଟରେ ହୋଇଥିବା ମୂର୍ତିର ମଧ୍ୟ ଅନାବରଣ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ସନ୍ଧ୍ୟା ୭ଟାରେ ‘କର୍ତ୍ତବ୍ୟ ପଥ’ର ଉଦ୍ଘାଟନ କରିବେ । କାର୍ଯ୍ୟାଳୟ ଅନୁଯାୟୀ ସତାର ପ୍ରତୀକ ତତ୍କାଳୀନ ରାଜପଥର ନାମ ବଦଳାଇ ‘କର୍ତ୍ତବ୍ୟ ପଥ’ କରିବା ଜନ ପ୍ରଭୁତ୍ୱ ଏବଂ ସଶକ୍ତିକରଣର ଏକ ଉଦାହରଣ ଅଟେ ।
ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଆଖପାଖ ଅଞ୍ଚଳରେ ପର୍ୟ୍ୟଟକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ଯୋଗୁଁ ଏହାର ଭିତ୍ତିଭୂମି ପ୍ରଭାବିତ ହେଉଥିଲା । ଶୌଚାଳୟ, ପିଇବା ପାଣି, ଷ୍ଟ୍ରିଟ ଫର୍ଣ୍ଣିଚର ଓ ଆବଶ୍ୟକ ପାର୍କିଂ ସ୍ଥାନ ଭଳି ମୌଳିକ ସୁବିଧା ସୁଯୋଗ ନଥିଲା । ଏହାବ୍ୟତୀତ ରାସ୍ତାରେ କମ ସାଇନ ବୋର୍ଡ, ଅନୁନ୍ନତ ଜଳ ପରିଚାଳନା ଓ ଅବ୍ୟବସ୍ଥିତ ପାର୍କିଂ ଭଳି ସମସ୍ୟା ଥିଲା । ସେହିପରି ଗଣତନ୍ତ୍ର ଦିବସ ପ୍ୟାରେଡ ଓ ଅନ୍ୟ ଜାତୀୟ କାର୍ୟ୍ୟକ୍ରମଗୁଡିକୁ ସୂଚାରୁ ରୂପେ ତଥା ଲୋକଙ୍କ ଯାତାୟାତକୁ ପ୍ରଭାବିତ ନକରି ଆୟୋଜନ କରିବାର ଆବଶ୍ୟକତା ପରିଲକ୍ଷିତ ହୋଇଥିଲା। ଏସବୁ ପ୍ରସଙ୍ଗକୁ ଧ୍ୟାନରେ ରଖି ତଥା କର୍ତ୍ତବ୍ୟ ପଥ ସୁଦୃଶ୍ୟ ଲ୍ୟାଣ୍ଡସ୍କେପ, ଚଲାପଥ ସହ ଲନ, ଅଧିକ ସବୁଜିମା, ନବୀକୃତ କେନାଲ, ଉନ୍ନତ ସାଇନବୋର୍ଡ, ନୂଆ ସୁବିଧା ଥିବା ବ୍ଲକ ଓ ଭେଣ୍ଡିଂ କିଓସ୍କ ଆଦି ରହିବ । ସେହିପରି ପଦଯାତ୍ରୀଙ୍କ ପାଇଁ ନୂଆ ଅଣ୍ଡରପାସ, ଉନ୍ନତ ପାର୍କିଂ ସ୍ଥାନ, ନୂଆ ପ୍ରଦର୍ଶନ ପ୍ୟାନେଲ ଓ ଉନ୍ନୀତ ରାତ୍ରି ଆଲୋକ ବ୍ୟବସ୍ଥା ଲୋକଙ୍କୁ ସୁଖଦ ଅନୁଭୂତି ପ୍ରଦାନ କରିବ । ଏଥିରେ କଠିନ ବର୍ଜ୍ୟ ପ୍ରବନ୍ଧନ, ବ୍ୟବହୃତ ଜଳ ପ୍ରକ୍ରିୟାକରଣ, ବର୍ଷାଜଳ ଅମଳ ଓ ବିଦ୍ୟୁତ ସଞ୍ଚୟକାରୀ ଆଲୋକ ବ୍ୟବସ୍ଥା ଭଳି ଅନେକ ଚିରସ୍ଥାୟୀ ସୁବିଧା ସାମିଲ ରହିଛି।
ସୂଚନା ଯେ,ରାଜପଥର ନାଁ ଶୁଣିଲେ ଆପଣଙ୍କ ମନକୁ ସିଧାଆସିଥାଏ ଜାନୁଆରୀ ୨୬ର ସେହି ସ୍ମୃତି । କାହିଁକି ନା ଏହି ଦିନ ଏହି ରାଜପଥରେ ଭାରତୀୟ ସଂସ୍କୃତି ଏବଂ ଭାରତର ଶକ୍ତିକୁ ସାରା ବିଶ୍ୱ ଆଗରେ ପ୍ରଦର୍ଶନ କରାଯାଇଥାଏ । ତେବେ କେନ୍ଦ୍ର ସରକାର ରାଜପଥ ନାମ ପରିବର୍ତ୍ତନକର ଏହାକୁ କର୍ତ୍ତବ୍ୟପଥ ନାଁ ନାମିତ କରିଛନ୍ତି । ଏଭଳି ପ୍ରଥମ ଥର ହୋଇନାହିଁ ଯେତେବେଳେ ଭାରତୀୟ ଇତିହାସର ଏହି ପ୍ରମୁଖ ଅଂଶ ରାଜପଥର ନାମ ବଦଳାଯାଉଛି । ଏହା ପୂର୍ବରୁ ମଧ୍ୟ ଏହାର ନାମ ପରିବର୍ତ୍ତନ କରାଯାଇଥିଲା । ଏହା ଛଡା ଏହି ରାସ୍ତାର କାହାଣୀରେ ମଧ୍ୟ ଅନେକ ଇତିହାସ ଲୁଚି ରହିଛି । ତେବେ ରାଜପଥର ଇତିହାସ କଣ? କିଏ ଏହାର ନାମ ରାଜପଥ ରଖିଥିଲେ ? ଏ ପ୍ରଶ୍ନର ଉତ୍ତର ଆପଣଙ୍କ ସାମ୍ନାରେ ରଖିବାକୁ ଚାହିଁବୁ ।