କରୋନା ସ୍ଥିତିକୁ ନେଇ ଅପରାହ୍ନ ସାଢେ ୪ଟାରେ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ଲଗାତର ଭାବେ ବଢିବାରେ ଲାଗିଛି । ଗତ ୪ ଦିନ ହେଲା ଲକ୍ଷେ ଉପରେ ଦୈନିକ ସଂକ୍ରମଣ ବାହାରୁଛି । ଏହାମଧ୍ୟରେ ଦେସବାସୀ ପୁଣି ଲକଡାଉନ୍, ସଟଡାଉନ୍ ଆଦି ନେଇ ଚିନ୍ତାରେ ପଡିଛନ୍ତି । ତେବେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସ୍ଥିତିକୁ ନେଇ ଅପରାହ୍ନ ସାଢେ ୪ଟାରେ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡିଛି ।
କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଇ ଦେଶରେ ଏବେ ଭୟ ଓ ଆତଙ୍କର ମାହୋଲ । ଅନେକ ରାଜ୍ୟ କଟକଣା ଲଗାଇଛନ୍ତି । କିଛି ସ୍ଥାନରେ ନାଇଟ କର୍ଫ୍ୟୁ ଓ ଓ୍ୱିକେଣ୍ଡ୍ ସଟ୍ ଡାଉନ୍ ଫେରିଛି । ଏପରିକି ବିବାହ, କାର୍ଯ୍ୟକ୍ରମ ଓ ସଭାସ୍ଥଳ ଉପରେ କଟକଣା ଲାଗିଛି । ଏହା ସତ୍ତ୍ୱେ ମାମଲା ଥମିବାର ନା ନେଉଁନାହିଁ । ଏପରି ସ୍ଥିତିରେ ମୋଦୀଙ୍କ ସମୀକ୍ଷା ବୈଠକ ବହୁ ଗୁରୁତ୍ୱ ବହନ କରୁଛି । ସୂଚନା ଯେ, ଏବେସୁଦ୍ଧା ଦେଶରେ ୩୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୮୩୭୯୦ ସକ୍ରିୟ ମାମଲା ରହିଛି ଏବଂ ୩୪୪୫୩୬୦୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୮୩୭୯୦ ସଂକ୍ରମିତ ପ୍ରାଣ ହରାଇଛନ୍ତି ।