୫ ରାଜ୍ୟର କୋଭିଡ ସାର୍ଟିଫିକେଟରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ
ନୂଆଦିଲ୍ଲୀ : ଦେଶର ୫ ରାଜ୍ୟର କୋଭିଡ ସାର୍ଟିଫିକେଟରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ। ଯେଉଁ ୫ଟି ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ହେବାର ଅଛି ସେସବୁ ରାଜ୍ୟରୁ ନରେନ୍ଦ୍ର ମୋଦିଙ୍କ ଫଟୋ ହଟିବ। ନିର୍ବାଚନ ବିଧି ଅନୁସାରେ ଏହି ନିୟମ ଲାଗୁ ହେବ। ଏଥିସହ ଏହି ୫ଟି ରାଜ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ, ଯୋଜନା ଘୋଷଣା କିମ୍ବା ସରକାରୀ କାର୍ଯ୍ୟ ମଧ୍ୟ କରାଯାଇ ପାରିବ ନାହିଁ। ତେବେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହିସବୁ ରାଜ୍ୟ ପାଇଁ କଟକଣା ଲଗାଯାଇଛି।
ନିର୍ବାଚନ ଆୟୋଗ ଶନିବାର ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ତାରିଖ ଯାଏଁ ଭୋଟ୍ ଗ୍ରହଣ ଏବଂ ମାର୍ଚ୍ଚ ୧୦ରେ ଫଳ ପ୍ରକାଶ ପାଇବ। ତେବେ ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଟିକା ପ୍ରମାଣପତ୍ରରୁ ମୋଦିଙ୍କ ଫଟୋ ହଟାଇବା ପାଇଁ କୋ-ଓ୍ବିନ୍ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛି।