ଟୟକ୍ୟାଥନ-୨୦୨୧ର ପ୍ରତିଯୋଗୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
- ଟୟକୋନୋମି’ରେ ସ୍ଥିତି ସୁଦୃଢ଼ କରିବା ଲାଗି ଆହ୍ୱାନ
- ସବୁଠୁ ବଂଚିତ ବର୍ଗଙ୍କ ବିକାଶ ଓ ଅଭିବୃଦ୍ଧି ପାଇଁ ଖେଳନା କ୍ଷେତ୍ରର ଗୁରୁତ୍ୱ ଉପରେ ଆଲୋକପାତ
- ଆମେ ସ୍ଥାନୀୟ ଖେଳନାର ପ୍ରଚାର କରିବା ଉଚିତ୍ : ପ୍ରଧାନମନ୍ତ୍ରୀ
- ଦେଶ ସ୍ୱାଧୀନତାର ୭୫ତମ ଜନ୍ମବାର୍ଷିକୀ ଖେଳନା କ୍ଷେତ୍ରର ଉଦ୍ଭାବକ ଓ ନିର୍ମାତାମାନଙ୍କ ପାଇଁ ଏକ ବଡ଼ ସୁଯୋଗ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକ୍ୟାଥନ-୨୦୨୧ର ପ୍ରତିଯୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଏବଂ ଶ୍ରୀ ସଞ୍ଜୟ ଧୋତ୍ରେ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ୫-୬ ବର୍ଷ ଧରି, ଦେଶର ଯୁବପିଢ଼ି ହ୍ୟାକାଥନ ଭଳି ପ୍ଲାଟଫର୍ମ ଜରିଆରେ ଦେଶର ପ୍ରମୁଖ ଆହ୍ୱାନଗୁଡ଼ିକ ସହ ଯୋଡ଼ି ହୋଇଛନ୍ତି । ଏହା ପଛରେ ଥିବା ଚିନ୍ତାଧାରାଟି ହେଉଛି ଦେଶର ସାମର୍ଥ୍ୟକୁ ସଂଗଠିତ କରିବା ଏବଂ ସେମାନଙ୍କୁ ଏକ ମାଧ୍ୟମ ଯୋଗାଇଦେବା, ସେ କହିଥିଲେ ।
Addressing #Toycathon-2021. Watch. https://t.co/6TqzP3A1Os
— Narendra Modi (@narendramodi) June 24, 2021
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଳନା ପିଲାମାନଙ୍କର ପ୍ରଥମ ବନ୍ଧୁ, ତେବେ ଖେଳନା ଓ ଗେମିଂର ଆର୍ôଥକ ଦିଗ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେବା ସହିତ ‘ଟୟକୋନୋମି’ ବା ଖେଳନା ଅର୍ଥବ୍ୟବସ୍ଥା ଦିଗରେ ଅଗ୍ରସର ହେବା ନିମନ୍ତେ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଖେଳନା ବଜାରର ଆକାର ୧୦୦ ବିଲିୟନ ଡଲାର ହୋଇଥିବା ବେଳେ ଏଥିରେ ଭାରତର ଯୋଗଦାନ ମାତ୍ର ୧.୫ ପ୍ରତିଶତ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏହାର ୮୦ ପ୍ରତିଶତ ଖେଳନା ଆମଦାନୀ କରିଥାଏ । ଯାହାର ଅର୍ଥ ହେଉଛି ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଦେଶରୁ ଚାଲି ଯାଇଥାଏ । ଏହାକୁ ବଦଳାଇବାର ଆବଶ୍ୟକତା ରହିଛି, ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ, ସଂଖ୍ୟାଗୁଡ଼ିକ ବ୍ୟତୀତ, ଏହି କ୍ଷେତ୍ର ନିକଟରେ ସମାଜର ସବୁଠୁ ବଂଚିତବର୍ଗଙ୍କ ବିକାଶ ଓ ଅଭିବୃଦ୍ଧି ଆଣିବା ପାଇଁ ସାମର୍ଥ୍ୟ ରହିଛି । ଖେଳନା ଉଦ୍ୟୋଗର ଏକ ନିଜସ୍ୱ କ୍ଷୁଦ୍ର ଧରଣର ଉଦ୍ୟୋଗ ରହିଛି ଯେଉଁଥିରେ ଗ୍ରାମୀଣ ଜନସଂଖ୍ୟାର କାରିଗର, ଦଳିତ, ଗରିବ ଓ ଜନଜାତିର ଲୋକମାନେ ସାମିଲ ରହିଛନ୍ତି । ଏହି କ୍ଷେତ୍ରରେ ମହିଳାମାନଙ୍କର ପ୍ରମୁଖ ଯୋଗଦାନ ମଧ୍ୟ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହି ବର୍ଗର ଲୋକମାନଙ୍କୁ ଲାଭବାନ କରିବାକୁ ହେଲେ, ଆମକୁ ସ୍ଥାନୀୟ ଖେଳନାର ପ୍ରଚାର (ଭୋକାଲ ଫର୍ ଲୋକାଲ ଟୟଜ୍) କରିବାର ଆବଶ୍ୟକତା ରହିଛି । ବିଶ୍ୱସ୍ତରରେ ଭାରତୀୟ ଖେଳନାଗୁଡ଼ିକୁ ପ୍ରତିଦ୍ୱନ୍ଦ୍ୱିତା ମୂଳକ କରିବାକୁ ହେଲେ ଉଦ୍ଭାବନ ଓ ନିବେଶର ନୂଆ ମଡେଲ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ନୂତନ ଉପାୟ ଅବଲମ୍ବନ କରିବା, ନୂଆ ଷ୍ଟାର୍ଟ-ଅପ୍ଗୁଡ଼ିକୁ ପ୍ରୋତ୍ସାହନ ଦେବା, ପାରମ୍ପରିକ ଖେଳନା ନିର୍ମାତାମାନଙ୍କୁ ନୂଆ ପ୍ରଯୁକ୍ତି ଦିଗରେ ନେବା ଏବଂ ନୂଆ ବଜାର ଚାହିଦା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଟୟକ୍ୟାଥନ ଭଳି କାର୍ଯ୍ୟକ୍ରମ ଆୟୋଜନ ପଛରେ ଏହି ପ୍ରେରଣା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଶସ୍ତା ଡାଟା ଏବଂ ଇଣ୍ଟରନେଟ୍ ବାହିତ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରିବା ସହିତ ଭର୍ଚୁଆଲ୍, ଡିଜିଟାଲ୍ ଓ ଅନ୍ଲାଇନ୍ ଗେମିଂ ପାଇଁ ଭାରତରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ବାସ୍ତବତା ପ୍ରତି ଧ୍ୟାନ ଆକର୍ଷଣ କରି କହିଥିଲେ ଯେ ବର୍ତ୍ତମାନ ବଜାରରେ ଉପଲବ୍ଧ ରହିଥିବା ଅଧିକାଂଶ ଅନ୍ଲାଇନ୍ ଓ ଡିଜିଟାଲ୍ ଗେମ୍ଗୁଡ଼ିକ ଭାରତୀୟ ବିଷୟବସ୍ତୁ ଉପରେ ଅଧାରିତ ନୁହନ୍ତି, ତେଣୁ ସେଗୁଡ଼ିକ ହିଂସାକୁ ପ୍ରୋତ୍ସାହନ ଦେଇଥାନ୍ତି ଏବଂ ମାନସିକ ଚାପ ସୃଷ୍ଟି କରିଥାନ୍ତି । ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ବିଶ୍ୱ ଭାରତର ସାମର୍ଥ୍ୟ, କଳା ଓ ସଂସ୍କୃତି ବିଷୟରେ ଜ୍ଞାନ ଆହରଣ କରିବା ଲାଗି ଚାହୁଁଛି । ଖେଳନାଗୁଡ଼ିକ ଏହି କ୍ଷେତ୍ରରେ ବଡ଼ ଭୂମିକା ନିର୍ବାହ କରିପାରିବେ । ଡିଜିଟାଲ ଗେମିଂ ପାଇଁ ଭାରତରେ ଯଥେଷ୍ଟ ବିଷୟବସ୍ତୁ ଏବଂ କ୍ଷମତା ରହିଛି । ଶ୍ରୀ ମୋଦୀ ଏହି ଅବସରରେ ଭାରତର ସାମର୍ଥ୍ୟ ଓ ବିଚାରର ବାସ୍ତବ ଚିତ୍ର ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାର ଦାୟିତ୍ୱ ନେବା ନିମନ୍ତେ ଯୁବ ଉଦ୍ଭାବକ ଓ ଷ୍ଟାର୍ଟ-ଅପ୍ଗୁଡ଼ିକୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଖେଳନା ଉଦ୍ଭାବକ ଓ ନିର୍ମାତାମାନଙ୍କ ପାଇଁ ଏକ ବୃହତ ସୁଯୋଗ ଆଣିଛି । ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନର ବହୁ ଘଟଣା, କାହାଣୀ ଏବଂ ସେମାନଙ୍କ ସାହସ ଓ ନେତୃତ୍ୱକୁ ଗେମିଂ ବିଷୟବସ୍ତୁରେ ପରିଣତ କରାଯାଇପାରିବ । ‘ଲୋକକଥାକୁ ଭବିଷ୍ୟତ’ ସହ ଯୋଡ଼ିବାରେ ଏହିସବୁ ଉଦ୍ଭାବକମାନେ ବଡ଼ ଭୂମିକା ନିର୍ବାହ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ଏପରି ରୋଚକ ଓ ଯୋଗାଯୋଗ ଆଧାରିତ ଗେମ୍ ବିକଶିତ କରିବାର ଆବଶ୍ୟକତା ରହିଛି ଯାହା ପିଲାମାନଙ୍କୁ ସମ୍ପୃକ୍ତ କରୁଥିବ, ସେମାନଙ୍କର ମନୋରଞ୍ଜନ କରିବା ସହିତ ଶିକ୍ଷା ପ୍ରଦାନ କରୁଥିବ ।