ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବଲରାମପୁରରେ ୯,୮୦୦ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଥିବା ସରୟୁ ନହର ରାଷ୍ଟ୍ରୀୟ ପରିଯୋଜନାର ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ କାର୍ଯ୍ୟକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଡିସେମ୍ବର ୮ରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ଏମିତି ଚାଲିଯିବା ପ୍ରତ୍ୟେକ ଭାରତ ପ୍ରେମୀ ଓ ରାଷ୍ଟ୍ର ଭକ୍ତଙ୍କ ଲାଗି ଏକ ଅପୂରଣୀୟ କ୍ଷତି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ନାଁ ନ ନେଇ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦିଲ୍ଲୀରୁ ବାହାରିବା ବେଳେ ସକାଳୁ ମୁଁ ଅପେକ୍ଷା କରିଛି କି କେତେବେଳେ ଜଣେ ଆସିବ, ଆଉ କହିବ ମୋଦୀ ଜୀ ଏହି ଯୋଜନାର ଫିତା ତ ଆମେ କାଟିଥିଲୁ, ଯୋଜନା ତ ଆମେ ଆରମ୍ଭ କରିଥିଲୁ। କିଛି ଲୋକ ଅଛନ୍ତି ଯାହାଙ୍କର ଏମିତି କହିବାର ଅଭ୍ୟାସ ରହିଛି। ଲାଗୁଛି ପିଲାଦିନୁ ହିଁ ସେମାନେ ଏହି ଯୋଜନାର ଫିତା କାଟିଥିବେ। କିଛି ଲୋକଙ୍କର ପ୍ରାଥମିକତା ହେଉଛି ଫିତା କାଟିବା କିନ୍ତୁ ଲୋକଙ୍କ ପାଇଁ ଯୋଜନା ସମୟରେ ପୂରା କରିବା ହେଉଛି ଆମର ପ୍ରାଥମିକତା।