ହିଜାବ ବିବାଦରେ ବିରୋଧୀଙ୍କୁ ଦାୟୀ କରି ବର୍ଷିଲେ ପ୍ରଧାନମନ୍ତ୍ରୀ
ଲକ୍ଷ୍ନୌ: ହିଜାବ ପ୍ରସଙ୍ଗକୁ ନେଇ ବିବାଦ ଘନୀଭୂତ ହେଉଥିବା ବେଳେ ଏଥିପାଇଁ ବିରୋଧୀଙ୍କୁ ଦାୟୀ କରି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ଉତରପ୍ରଦେଶରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି ସିଧାସଳଖ ‘ହିଜାବ’ ଶବ୍ଦ ନ ଉଠାଇଥିଲେ ମଧ୍ୟ ମୁସଲିମ ଝିଅମାନଙ୍କର ଅଧିକାର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ନିଶାନା କରିଥିଲେ । ଏହି ଘଟଣା ପାଇଁ ସେ ପରୋକ୍ଷରେ ବିରୋଧୀଙ୍କୁ ଦାୟୀ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ମୁସଲିମ ମହିଳାଙ୍କର ଅଧିକାରକୁ ସଙ୍କୁଚିତ କରିବା ପାଇଁ ବିରୋଧୀ ନୂଆ ନୂଆ କୌଶଳ ପ୍ରୟୋଗ କରୁଛନ୍ତି । ମୁସଲିମ ମହିଳାଙ୍କୁ ବିଜେପି ସରକାର ତିନି ତଲାକ ସମସ୍ୟାରୁ ମୁକ୍ତି ଦେଇଛି । ଯେତେବେଳେ ମୁସଲିମ ମହିଳମାନେ ମୋଦିଙ୍କୁ ସମର୍ଥନ କଲେ ଓ ଗୋଟିଏ ପରେ ଗୋଟିଏ ଭିଡିଓ କରି ଛାଡ଼ିଲେ, ତାହା ବିରୋଧୀଙ୍କୁ ସହ୍ୟ ହେଲା ନାହିଁ । ତେଣୁ ସେମାନେ ମୁସଲିମ ମହିଳାଙ୍କୁ ବିଭ୍ରାନ୍ତ କରିବାକୁ ଲାଗିଲେ । କିନ୍ତୁ ଆମେ ସମସ୍ତ ମୁସଲିମ ମହିଳାଙ୍କ ସହ ଅଛୁ । ସେମାନଙ୍କ ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ।
ଗୁରୁବାର ଉତରପ୍ରଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବାକି ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିଥିଲେ । ସହାରନପୁରରେ ଆୟୋଜିତ ରାଲିରେ ଯୋଗ ଦେଇ ସେ କହିଥିଲେ, ଉତର ପ୍ରଦେଶରେ ମୁସଲିମ ମହିଳାଙ୍କ ଅଧିକାରକୁ ଯୋଗୀ ସରକାର ସୁନିଶ୍ଚିତ କରିଛନ୍ତି । ତେଣୁ ଏଠାରେ ପୁଣି ଥରେ ବିଜେପି ସରକାର ଆସିବା ଉଚିତ୍ । ସେହିପରି ଏହି ରାଲିରେ ମୋଦି ରାଜନୀତିରେ ଚାଲିଥିବା ପରିବାରବାଦ କଥା ଉଠାଇଥିଲେ । ସେ କହିଥିଲେ ଯେ ଉତର ପ୍ରଦେଶରେ ପୂର୍ବରୁ ଥିବା ଶାସକମାନେ ସେମାନଙ୍କ ପରିବାର ଛଡ଼ା ଆଉ କାହାକୁ ଦେଖି ନାହାନ୍ତି । ସେମାନେ ଆପଣଙ୍କ ପାଇଁ ଚିନ୍ତିତ ନୁହନ୍ତି । ଯଦି ସେମାନେ ମହାମାରୀ ସମୟରେ କ୍ଷମତାରେ ଥା’ନ୍ତେ, ତା’ହେଲେ କରୋନା ଟିକାର କଳାବଜାରୀ ହୋଇଥା’ନ୍ତା । ସେହି ଟିକା ଆପଣଙ୍କ ପାଖରେ ପହଂଚି ପାରି ନଥା’ନ୍ତା । ମୋଦି ଆହୁରି କହିଥିଲେ, ଯଦି ବିରୋଧୀମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି, ତା’ହେଲେ ସେମାନେ ଆପଣମାନଙ୍କୁ ଠକୁଛନ୍ତି । ରାଜ୍ୟରେ ବିଜେପି ପୂର୍ବରୁ ଶାସନରେ ଥିବା ଦଳ ବିଜୁଳି ନେଇ କେତେ କ’ଣ ସ୍ୱପ୍ନ ଦେଖାଇଥିଲା । କିନ୍ତୁ ୟୁପି ଅନ୍ଧାରରେ ରହିଲା ।
ସୂଚନା ଯେ, ୭ ପର୍ଯ୍ୟାୟରେ ହେବାକୁ ଥିବା ଉତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ନିର୍ବାଚନ ଫଳାଫଳ ପାଇଁ ପଶ୍ଚିମ ଉତରପ୍ରଦେଶର ବିଭିନ୍ନ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଏହି ପର୍ଯ୍ୟାୟରେ ୧୧ଟି ଜିଲ୍ଲାର ୫୮ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଶାମଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମେରଟ୍, ବାଗପାଟ, ଗାଜିଆବାଦ, ବୁଲନ୍ଦସହର, ଅଲିଗଡ, ମଥୁରା ଏବଂ ଆଗ୍ରା ଜିଲ୍ଲାର ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ୫୮ ଆସନରେ ମୋଟ ୬୨୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେଥିମଧ୍ୟରୁ ୭୩ ଜଣ ମହିଳା ପ୍ରାର୍ଥୀ । ଇଭିଏମରେ ଏହି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଯାଇଛି । କାହାର ଜିତାପଟ ହେବ ଏବଂ କାହାକୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ମାର୍ଚ୍ଚ ୧୦ରେ ଜଣାପଡ଼ିବ ।