‘ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି’ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହାଇଦ୍ରାବାଦର ସମସାବାଦ ଠାରେ ୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି ବା ସମତା ପ୍ରତିମୂର୍ତିର ଉଦଘାଟନ କରିଛନ୍ତି । ଏକାଦଶ ଶତାବ୍ଦୀର ଭକ୍ତି ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ସମ୍ମାନରେ ତାଙ୍କର ଏହି ପ୍ରତିମୂର୍ତି ନିର୍ମାଣ କରାଯାଇଛି । ଏହି ପ୍ରତିମୂର୍ତି ଭାରତୀୟ ଯୁବପୀଢୀଙ୍କୁ ଅନୁପ୍ରାଣିତ କରିବ ବୋଲି ମୋଦୀ କହିଛନ୍ତି । ରାମାନୁଜାଚାର୍ଯ୍ୟ ଭକ୍ତି, ଜ୍ଞାନ ଓ ବୈରାଗ୍ୟର ପ୍ରତୀକ ଥିଲେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ପ୍ରତିମୂର୍ତିଟି ପଂଚ ଧାତୁ- ସୁନା, ରୁପା, ତମ୍ବା, ଦସ୍ତା ଓ ସୀସାରେ ନିର୍ମିତ ହୋଇଛି । ବସିବା ମୁଦ୍ରାରେ ଥିବା ଏହା ବିଶ୍ୱର ଅନ୍ୟତମ ଉଚ୍ଚତମ ମୂର୍ତି ବୋଲି କୁହାଯାଉଛି । ଏହି ମୂର୍ତି ଏକ ୫୪ ଫୁଟ ଉଚ୍ଚ ବେଦୀ ଉପରେ ବସିଛନ୍ତି ।
ଏହି ମୂର୍ତି ସହ ଉକ୍ତ ସ୍ଥାନରେ ଏକ ଡିଜିଟାଲ ଲାଇବ୍ରେରୀ, ବୈଦିକ ଗବେଷଣା କେନ୍ଦ୍ର ଆଦି ରହିଛି । ଶ୍ରୀରାମାନୁଜାଚାର୍ଯ୍ୟ ଆଶ୍ରମର ଗୁରୁ ଶ୍ରୀ ଚିନ୍ନା ଜୟେର ସ୍ୱାମୀ ଏହାର ପରିକଳ୍ପନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକାଦଶ ଶତାବ୍ଦୀରେ ତାମିଲନାଡ଼ୁରେ ଜନ୍ମ ଗ୍ରହଣ କରିଥିବା ରାମାନୁଜ ମଧ୍ୟଯୁଗୀୟ ଭକ୍ତି ଆନ୍ଦୋଳନର ଅନ୍ୟତମ ପୁରୋଧା ଭାବେ ପରିଚିତ । ଭାରତରେ ବୈଷ୍ଣବୀୟ ପରମ୍ପରାର ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।
ହାଇଦ୍ରାବାଦ ସାମସାବାଦସ୍ଥିତ ମୁଚିନ୍ତଲରେ ଥିବା ଚିନ୍ନା ଜିୟାର ଆଶ୍ରମ ପରିସରରରେ ଏହି ମୂର୍ତି ସ୍ଥାପନ କରାଯାଇଛି । ୨୧୬ ଫୁଟ ଉଚ୍ଚତା ବିଶିଷ୍ଟ ଏହା ହେଉଛି ବିଶ୍ୱର ଦ୍ୱିତୀୟ ବୃହତମ ସିଟିଂ ଷ୍ଟାଚ୍ୟୁ ବା ବସିଥିବା ପ୍ରତିମୂର୍ତି । ବୈଷ୍ଣବ ସମ୍ପ୍ରଦାୟର ସନ୍ଥ ତଥା ସମାଜ ସଂସ୍କାରକ ସ୍ୱାମୀ ରାମାନୁଜାଚାର୍ଯ୍ୟଙ୍କ ସମ୍ପର୍କରେ ଭବିଷ୍ୟତ ପୀଢି ଯେପରି ଜାଣିପାରିବେ ସେଥିପାଇଁ ଏହି ମୂର୍ତିର ନିର୍ମାଣ କରାଯାଇଛି ।
୫୮ ଫୁଟ ଉଚ୍ଚତା ବିଶିଷ୍ଟ ରାମାନୁଜଚାର୍ଯ୍ୟଙ୍କ ମନ୍ଦିରର ମୂଳ ଭବନ ଉପରେ ତାଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଛି । ଏହି ମୂର୍ତିକୁ ୫ଟି ଧାତୁରେ ନିର୍ମାଣ କରାଯାଇଛି । ଏସବୁ ହେଉଛି ସୁନା, ରୂପା, ତମ୍ବା, ପିତଳ ଓ ଜିଙ୍କ୍ । ଏଥିଲାଗି ମୋଟ ୧୪ ଶହ କୋଟି ଖର୍ଚ୍ଚ କରାଯାଇଛି । ଯାହାର ଅଧିକାଂଶ ଭାଗ ଦାନ ଆକାରରେ ପ୍ରାପ୍ତ ହୋଇଛି । ଏହି ପ୍ରତିମୂର୍ତିକୁ ୫୪ ଫୁଟ ଉଚ୍ଚ ବେସ ବିଲ୍ଡିଂରେ ସ୍ଥାପନ କରାଯାଇଛି । ଯାହାର ନାମ ହେଉଛି ‘ଭଦ୍ରା ବେଦୀ’ । ଏଥିରେ ଏକ ଡିଜିଟାଲ ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥ, ଥିଏଟର, ଏକ ଶିକ୍ଷଣୀୟ ଗ୍ୟାଲେରୀ ରହିଛି । ଯାହା ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଜିବନୀ ବିଷୟରେ ବିବରଣୀ ପ୍ରଦାନ କରେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜାତି, ଲିଙ୍ଗ, ଜାତି, ଜାତି କିମ୍ବା ଧର୍ମ ନିର୍ବିଶେଷରେ ସବୁ ମଣିଷଙ୍କ ପାଇଁ ଶ୍ରୀ ରାମାନୁଜାଚାର୍ଯ୍ୟ ନିରନ୍ତର କାର୍ଯ୍ୟ କରିଥିଲେ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୀବନର ସନ୍ଦେଶ ଥିଲା ସମ୍ମିଳିତ ସମାଜ, ଧର୍ମ ଓ ଦର୍ଶନ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ବିଶ୍ୱାସ କରୁଥିଲେ ଯାହା କିଛି ବି ଅଛି ଏବଂ ଯାହା କିଛି ହେବ, ତାହା ହେବ ଭଗବାନଙ୍କ ଅଭିବ୍ୟକ୍ତି । ସେ ମନୁଷ୍ୟଙ୍କ ମଧ୍ୟରେ ପରମେଶ୍ୱରଙ୍କୁ ଏବଂ ପରମେଶ୍ୱରଙ୍କଠାରେ ମଣିଷକୁ ଦେଖିଥିଲେ । ସେ ଭଗବାନଙ୍କ ସମସ୍ତ ଭକ୍ତଙ୍କୁ ସମାନ ଭାବରେ ଦେଖୁଥିଲେ । ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ କେବଳ ଉପଦେଶ ଦେଉ ନ ଥିଲେ, କେବଳ ନୂଆ ରାସ୍ତା ଦେଖାଇ ନ ଥିଲେ, ନିଜ ଜୀବନରେ ସେ ନିଜ ବାଣୀକୁ ଜୀଇଁ କରି ଦେଖାଇଛନ୍ତି ବୋଲି ମୋଦି କହିଛନ୍ତି ।