ଯୁକ୍ତ୨ ପାଠପଢ଼ା ଆରମ୍ଭ ; ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ
ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ଯୁକ୍ତ୨ ପାଠପଢ଼ା ଆରମ୍ଭ ହୋଇଛି । ସ୍କୁଲ ଛାଡି ପ୍ରଥମ ଥର ପାଇଁ କଲେଜ ଯାଉଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା ।
ତେବେ ପ୍ରଥମ ଦିନରେ ବିଧିବଦ୍ଧ ପାଠପଢା ଆରମ୍ଭ ହୋଇନାହିଁ । ପ୍ରଥମ ଦିନରେ ପିଲାମାନେ କ୍ୟାମ୍ପସ୍ ବୁଲି ଦେଖିଛନ୍ତି । ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ବର୍ଷ ପିଲାଙ୍କ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ଇଣ୍ଡକ୍ସନ୍ କ୍ଲାସର ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ କଲେଜ ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ସ୍ୱାଗତ ଭାଷଣ ସହ କ୍ଲାସରେ କଲେଜର ବିସ୍ତୃତ ବିବରଣୀ ଉପସ୍ଥାପନ କରିବେ । ବିଷୟଭିତିକ ଅଧ୍ୟାପକମାନେ ନିଜ ସମ୍ପର୍କରେ ପିଲାମାନଙ୍କୁ ଜଣାଇବେ । ସିଲାବସ୍ ରେ କେଉଁ ସବୁ ବିଷୟରେ ଉଲ୍ଲେଖ ରହିଛି ସେବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇବା ସହ ପରୀକ୍ଷା ପ୍ରଣାଳୀ ଓ ପ୍ରଶ୍ନପତ୍ର ଢାଂଚା ସମ୍ପର୍କରେ ଅବଗତ କରାଯିବ । ଟାଇମ୍ ଟେବୁଲ୍ ବଂଟନ ସହ ରାଗିଂ ରୋକିବା, କଲେଜର ବିଭିନ୍ନ ନିୟମ କାନୁନ୍ ସମ୍ପର୍କରେ କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଛନ୍ତି । ତେଣୁ ଆଉ ବିଳମ୍ବ ନକରି ଆଜିଠାରୁ କ୍ଲାସ ଆରମ୍ଭ ହେଉ ବୋଲି ସେ କହିଥିଲେ ।