ଆଜି ଆସିବ ପିପିଲି ଜନାଦେଶ : ଗଣତି ଜାରି, ସନ୍ଧ୍ୟା ସୁଦ୍ଧା ଫଳାଫଳ
ଭୁବନେଶ୍ୱର : ଆଜି ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି । ବହୁପ୍ରତିକ୍ଷୀତ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଆଜି ନୂଆ ବିଧାୟକ ମିଳିବ । ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି। ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ହେବ। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲ୍ରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି। ଗଣମାଧ୍ୟମର କର୍ମଚାରୀ କେବଳ କ୍ୟାମେରା ନେଇ ଗଣତି ହଲ୍ ଭିତରକୁ ଯାଇପାରିବେ। କିନ୍ତୁ ସମସ୍ତେ ଦୁଇ ଡୋଜ୍ କୋଭିଡ ଟିକା ନେଇଥିବେ କିମ୍ବା କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।
ସୂଚନା ଯେ, ପିପିଲିରେ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ କରାଯାଇଛି । ଏହି ନିର୍ବାଚନରେ ବିଜେଡି, ବିଜେପି, କଂଗ୍ରେସ, ସିପିଆଇ ସମେତ ୭ଟି ରାଜନୈତିକ ଦଳ ଓ ଜଣ ସ୍ୱାଧୀନ ପ୍ରତିନିଧି ନିର୍ବାଚନକୁ ଓହ୍ଲାଇଛନ୍ତି । ତେବେ ବିଜେଡିର ରୁଦ୍ର ପ୍ରତାପ ମହାରଥୀ, ବିଜେପିର ଆଶ୍ରିତ ପଟ୍ଟନାୟକ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ବୋଲି କୁହାଯାଉଛି । କଂଗ୍ରେସ ୩ୟ ସ୍ଥାନରେ ରହିପାରେ ।