ଆସନ୍ତାକାଲି ପିପିଲି ଉପନିର୍ବାଚନ ଫଳାଫଳ
- ସକାଳ ୮ଟାରୁ ଭୋଟ ଗଣତି
- ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୩ ପ୍ଲାଟୁନ୍ ଫୋର୍ସ ମୁତୟନ
ଭୁବନେଶ୍ଵର : ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ଫଳାଫଳ । କିଏ ମାରିବ ପିପିଲିରେ ବାଜି । ଇଭିଏମରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିବା ବେଳେ ଜଣାପଡିବ ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ୨୦୧୪, ୨୦୧୯ ନିର୍ବାଚନ ଅପେକ୍ଷା ଏଥର ପିପିଲିରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଭୋଟ ଗଣତି ହେବା ପୂର୍ବରୁ ପିପିଲି କାହାର, ଜନତା କାହା ଉପରେ ଭରସା କରିଛନ୍ତି ଜଣାପଡିନି । ଏପଟେ ଭୋଟ ଗ୍ରହଣ ପରେ ଷ୍ଟ୍ରଗ ରୁମରେ ଇଭିଏମ ପହଞ୍ଚି ସାରିଛି। ସମୁଦାୟ ୩୪୮ ବୁଥର ଇଭିଏମ୍ ଗୁଡିକୁ ପୁରୀ ପେଣ୍ଠକଟା ସ୍ଥିତ ୱେର ହାଉସ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଆଜି ଭୋର ୪ ଟା ପର୍ଯ୍ୟନ୍ତ ପୋଲିଂ ଅଧିକାରୀ ଓ ପ୍ରାର୍ଥିମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖି ସିଲ୍ କରାଯାଇଛି । ଏଥିପାଇଁ ବିଏସ୍ଏଫ୍, ରାଜ୍ୟ ସୁରକ୍ଷା ବାହିନୀ ଓ ଜିଲ୍ଲା ପୁଲିସଙ୍କୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାର ତତ୍ତ୍ବାବଧାନ ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରୢାଙ୍କର ଜଣେପୁଲିସ ଅଧିକାରୀଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ସେପଟେ ଗଣତି ଦିନ କେବଳ ଗଣତି କେନ୍ଦ୍ର ନୁହେଁ, ପିପିଲି ଓ ଡେଲାଙ୍ଗରେ ବି ଫୋର୍ସ ମୁତୟନ ହେବେ ବୋଲି ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ କହିଛନ୍ତି।
ତେବେ ଫଳାଫଳ ଆସିବା ପୂର୍ବରୁ ବିଜେଡି ପିପିଲି ଜିତିବ ବୋଲି ଦାବି କାରିଛି। ଗତ ନିର୍ବାଚନଠାରୁ ବିଜେଡି ଏଥର ଅଧିକ ଭୋଟ ପାଇବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ହରାଇଥିଲା ପୁରୀ ଏବଂ ବ୍ରହ୍ମଗିରୁ ସିଟ୍ । କିନ୍ତୁ ସ୍ବଗର୍ତ ପ୍ରଦୀପ ମହାରଥୀ ତାଙ୍କ ଗଡ ବଜାୟ ରଖିଥିଲେ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ପ୍ରଥୀପ ମହାରଥୀ ୧୫ହଜାର ୭୮୭ ଅଧିକ ଭୋଟ ପାଇଥିଲେ। ଏଥର ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପ୍ରାର୍ଥୀ ହୋଇଥିଲେ ବି ନିର୍ବାଚନୀ ବୈତରଣୀ ପାର ହେବାକୁ ବିଜେଡିକୁ ବେଶ ଝାଳ ବୁହାଇବାକୁ ପଡିଛି । ତଥାପି କେତେ ବ୍ୟବଧାନରେ ଜିତିବ ବିଜେଡି ସ୍ପଷ୍ଟ କହି ପାରୁନି। ବିଜେପି ମଧ୍ୟ ନିଶ୍ଚିତ ଯେ ପିପିଲିରେ ପରିବର୍ତନ ହେବ। କାରଣ ଭୋଟର ବିଜେଡି ବିରୋଧରେ ଥିଲେ । ସେଥିପାଇଁ ସାଇଲେଣ୍ଟ ରହିଥିଲେ। ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚିନାହି। ଲୋକଙ୍କ ପାଖରେ ଫନି ସହାୟତି ପହଞ୍ଚି ନାହିଁ। ଯେଉଁଥିପାଇଁ ପିପିଲ ଲୋକ ସରକାର ଉପରେ ଭରସା କରୁନଥିବା ବିଜେପି କହିଛି । ଏଥର ଭୋଟ ହାର ୧ ପ୍ରତିଶତ ବଢ଼ି ୭୮.୨୪ ପ୍ରତିଶତ ହୋଇଛି। ଭୋଟ ହାର ବଢ଼ିଛି ଅର୍ଥ ବିଜେପି ଏଥିରୁ ଫାଇଦା ପାଇବ ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। କିଏ କେତେ ଭୋଟରେ ଜିତିବ ତାକୁ ନେଇ ଅଙ୍କକଷା ଚାଲିଥିବା ବେଳେ , ଭୋଟ ଗଣତି ଆଗରୁ ହାତ ଟେକି ଦେଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, କଂଗ୍ରେସ ହାରୁଥିବା ମାନି ନେଇଛନ୍ତି । ପିପିଲିରେ ଦଳ ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେଡି ଏକ ନମ୍ବର ହେବ ବୋଲି ସୁର କହିଛନ୍ତି।
ସୂଚନା ଯେ, ଗତ ସେପ୍ଟେମ୍ବର ୩୦ ତାରିଖ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା । ଏହାଛଡା ୨୦୧ ସମ୍ବେଦନଶୀଳ ବୁଥ୍ ଉପରେ କଡା ନଜର ରଖାଯାଇଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉପନିର୍ବାଚନ ପାଇଁ ୨ ହଜାର ୨୦୦ ପୋଲିଂ କର୍ମଚାରୀ ଥିବା ବେଳେ ୨ ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ହୋଇଥିଲେ ।