ପିପିଲି ଉପ-ନିର୍ବାଚନ ଫଳାଫଳ : ଆଜି ୮ଟାରୁ ଗଣତି
ପିପିଲି : ଆଜି ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ରବିବାର ସକାଳ ୮ ଟା ରୁ ଗଣତି ହେବ । ଏଥିଲାଗି ଦୁଇଟି କାଉଂଟର କରାଯିବ । ୩ ହଲରେ ଗଣତି ହେବ । ୨ଟିରେ ଇଭିଏମ ଓ ଗୋଟିଏ ରେ ଭିଭିପ୍ୟାଟ କାଉଂଟିଙ୍ଗ ହେବ । ପ୍ରଥମେ ୮ ଟାରୁ ପୋଷ୍ଟାଲ ବ୍ୟାଲଟ କାଉଂଟିଙ୍ଗ ଆରମ୍ଭ ହେବ । ସାଢେ ୮ଟାରେ ଇଭିଏମ କାଉଂଟ ହେବ । ଭୋଟ୍ ଗଣତି ପାଇଁ ୬୨ ଜଣ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ମୋଟ ୧୪ ଟି ଟେବୁଲରେ ଗଣତି ହେବ । ଗୋଟିଏ ହଲରେ ୭ ଟି ଟେବୁଲ ରହିବ । ପ୍ରତି ରାଜନୈତିକ ଦଳ ଏଜେଂଟ ଦେଇ ପାରିବେ । ଯେତେ ଲୋକ କାଉଂଟିଙ୍ଗ ସେଂଟରରେ ରହିବେ, ସମସ୍ତେ ଡବଲ ଡୋଜ କୋଭିଡ୍ ଟିକା ନେଇଥିବେ । କାଉଂଟ ରେଜଲ୍ଟ କ୍ୟାମେରା ମାଧ୍ୟମରେ ସ୍କ୍ରିନ ଜରିଆରେ ଲୋକଙ୍କୁ ଦେଖାଯିବ । ପ୍ରତି ରାଉଣ୍ଡର ଗଣତି ଫଳ ପ୍ରକାଶ କରାଯିବ । କାଉଂଟିଙ୍ଗ ସରିବା ପରେ ୫ ଟି ଭିଭିପ୍ୟାଟ ଓ ଇଭିଏମ ରେଜଲ୍ଟ ମ୍ୟାଚ କରାଯିବ । ଏଥିପାଇଁ ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଥିଲେ । ଉଲ୍ଲେଖ୍ୟଯୋଗ୍ୟ ଯେ ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ ।ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିଲା । ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍ ଥିଲା ।
ସୂଚନା ଯେ, ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ପରେ ଖାଲି ପଡିଥିବା ଏହି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିରେ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍ଏଲ୍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ୍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆରୁ ମହମ୍ମଦ ଇମ୍ମାମ୍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ପିପିଲି ନିର୍ବାଚନମଣ୍ଡଳୀର ସମସ୍ତ ୩୪୮ଟି ଭୋଟ୍ଗ୍ରହଣ କେନ୍ଦ୍ରରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଗୁରୁବାର ଶେଷ ହୋଇଥିଲା । ଏଠାରେ କୋଭିଡ୍ମୁକ୍ତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବାରୁ ଭୋଟରଙ୍କ ମଧ୍ୟରେ ବେଶ୍ ଆଗ୍ରହ ପରିଲକ୍ଷିତ ହୋଇଥିଲା ଓ ବହୁ ସଂଖ୍ୟାରେ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ । ଭୋଟ୍ ପରେ ଇଭିଏମ୍ ଗୁଡିକୁ କଡା ପୁଲିସ ସୁରକ୍ଷା ମଧ୍ୟରେ ପୁରୀରେ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଛି ।