ପିପିଲି ଉପ-ନିର୍ବାଚନ ସ୍ଥଗିତ
ଭୁବନେଶ୍ୱର : ସ୍ଥଗିତ ରହିଲା ପିପିଲି ବିଧାନସଭା ଉପନିର୍ବାଚନ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ଯୋଗୁଁ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ଉପନିର୍ବାଚନ ସ୍ଥଗିତ ନେଇ ଘୋଷଣା କରିଛନ୍ତି ପୁରୀ ଏଡିଏମ୍ । ସ୍ଥଗିତ ଆଦେଶ କପି ସିଇଓ ଓ ଇସିଆଇକୁ ପଠାଯାଇଛି ବୋଲି ସେ କହିଛନ୍ତି । ଏହାସହ କାଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ ସେ କହିଛନ୍ତି । ଏହାପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଥିଲେ ଯେ ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ । ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ସପ୍ତାହରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ପିପିଲି ଉପନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି ହୋଇଥିଲେ । ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ନିୟମ ଅନୁଯାୟୀ ଭୋଟ୍ ଦାନ ପୂର୍ବରୁ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଲେ ନିର୍ବାଚନକୁ ସ୍ଥଗିତ ରଖି ସାନି ନିର୍ବାଚନ ତାରିଖ ଘୋଷଣା କରାଯାଇଥାଏ । ନୂଆ ତାରିଖ ଘୋଷଣା ହେବା ପରେ କଂଗ୍ରେସକୁ ପୁଣି ଥରେ ପ୍ରାର୍ଥୀ ଦେବାକୁ ସୁଯୋଗ ମିଳିବ । ବିଜେଡି ଓ ବିଜେପି ସମେତ ଅନ୍ୟ ନେତାଙ୍କ ଦ୍ୱାରା ନାମାଙ୍କନ କରାଯାଇଥିବା ପ୍ରାର୍ଥୀମାନଙ୍କର ନାମ ବଳବତର ରହିବ ।