ପିପିଲି ଉପ-ନିର୍ବାଚନ : ନିମାପଡ଼ା ଛକ-ପିପିଲା ହାଟ-ବ୍ଲକ ଛକ ପର୍ଯ୍ୟନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସର ଫ୍ଲାଗ୍ ମାର୍ଚ୍ଚ
ନିମାପଡ଼ା : ଆସନ୍ତା ୧୭ତାରିଖରେ ପିପିଲି ଉପ-ନିର୍ବାଚନ । ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ । ଉପନିର୍ବାଚନକୁ କିପରି ଶାନ୍ତି ଓ ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ କରାଯିବ ଏନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସୁରକ୍ଷା ବଳ ଓ ଜିଲ୍ଲା ପୋଲିସ । କୌଣସି ଅପ୍ରୀତକର ଘଟଣାକୁ କେବେ ବି ପ୍ରଶୟ ଦିଆଯିବ ନାହିଁ ଏବଂ ଆଇନ୍ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବାର ବ୍ୟବସ୍ଥା ହୋଇଛି ।
ପିପିଲି ଉପନିର୍ବାଚନରେ ହିଂସାକୁ ଦୃଷ୍ଟିର ରଖି ପୁରୀ ଏସ୍ପିଙ୍କ ନେତୃତ୍ୱରେ ଅତିରିକ୍ତ ଏସ୍ପି ଓ ପିପିଲି ଏସ୍ଡିପିଓ ପିପିଲି ବିଜ୍ଞାପିତ ଅଞ୍ଚଳରୁ ନିମାପଡ଼ା ଛକଠାରୁ ପିପିଲା ହାଟ, ସେଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ସେହିପରି ଅତି ଉତ୍ତେଜନା ପ୍ରବଣ ବୁଥ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ନିର୍ବାଚନ ପାଇଁ ୯ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ ୨୪ ପ୍ଲାଟୁନ ବିଏସଏଫ୍, ୫ଜଣ ବରିଷ୍ଠ ଅଫିସରଙ୍କ କଡ଼ା ନଜରରେ ରହିଛି ।