ପିପିଲି ଉପ-ନିର୍ବାଚନ : ଦିନ ୧ଟା ସୁଦ୍ଧା ୪୫.୩୨% ମତଦାନ
ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ବିଭିନ୍ନ ବୁଥରେ ମତଦାନ ଜାରି ରହିଛି । ଧୀରେ ଧୀରେ ଭୋଟିଂ ପ୍ରତିଶତ ବଢ଼ୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ ହୋଇଛି । ମୋଟ୍ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତସାବ୍ୟସ୍ତ କରିବେ । ବହୁ ସଂଖ୍ୟାରେ ଲୋକେ ଭୋଟ୍ ଦେବାକୁ ନିଜ ନିଜ ବୁଥ୍ରେ ପହଞ୍ଚୁଛନ୍ତି। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ବୟସ୍କଠୁ ଯୁବକ ସମସ୍ତେ ଭୋଟ୍ ଦେଉଛନ୍ତି। ବିଶେଷ ଭାବେ ନୂଆ ଓ ବୟସ୍କ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବାକୁ ଆସି ଖୁସି ବ୍ୟକ୍ତ କରିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଏକ ପ୍ରେସ୍ମିଟ୍ରେ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳା ସହ ପିପିଲିରେ ମତଦାନ ଜାରି ରହିଛି। କୌଣସି ଠାରେ ଅପ୍ରୀତିକର ପରିସ୍ଥିତିର ସୂଚନା ନାହିଁ। ପାଗ ମଧ୍ୟ ଅନୁକୂଳ ରହିଛି । ମତଦାନ ପ୍ରତିଶତ ଆହୁରି ବଢ଼ିବ ଆଶା କରାଯାଉଛି। ୬ଟି ଭିଭିପାଟ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ପରବର୍ତ୍ତି ସମୟରେ ସମସ୍ୟାର ସମାଧାନ କରାଯାଇ ଭୋଟ୍ ଗ୍ରହଣ ଚାଲିଛି । ୨୦ଟି ଆଦର୍ଶ ବୁଥ୍ କରାଯାଇଛି ବୋଲି କହିଛନ୍ତି ।
ସୂଚନା ଯେ, ଗତବର୍ଷ ଅକ୍ଟୋବର ମାସରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା । ତେଣୁ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁରୁବାର ସକାଳ ୭ଟାରୁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ମୋଟ ୨ ଲକ୍ଷ ୨୯ହଜାର ୯୯୮ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।