ପିପିଲି ଉପ-ନିର୍ବାଚନ : ୧୧ଟା ସୁଦ୍ଧା ୨୪.୭୬% ମତଦାନ
ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ବିଭିନ୍ନ ବୁଥରେ ମତଦାନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଛି । ମୋଟ୍ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତସାବ୍ୟସ୍ତ କରିବେ । ଧୀରେ ଧୀରେ ଭୋଟିଂ ପ୍ରତିଶତ ବଢ଼ୁଥିବା ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ଲୋକେ ଭୋଟ୍ ଦେବାକୁ ନିଜ ନିଜ ବୁଥ୍ରେ ପହଞ୍ଚୁଛନ୍ତି। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ବୟସ୍କଠୁ ଯୁବକ ସମସ୍ତେ ଭୋଟ୍ ଦେଉଛନ୍ତି। ବିଶେଷ ଭାବେ ନୂଆ ଓ ବୟସ୍କ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବାକୁ ଆସି ଖୁସି ବ୍ୟକ୍ତ କରିଛନ୍ତି। ଏନେଇ ସିଇଓ ସୁଶିଲ ଲୋହାନୀ ଏକ ପ୍ରେସ୍ମିଟ୍ରେ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳା ସହ ପିପିଲିରେ ମତଦାନ ଜାରି ରହିଛି। କୌଣସି ଠାରେ ଅପ୍ରୀତିକର ପରିସ୍ଥିତିର ସୂଚନା ନାହିଁ। ମତଦାନ ପ୍ରତିଶତ ଆହୁରି ବଢ଼ିବ ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମଧ୍ୟ ଭୋଟ୍ ଦେଇଛନ୍ତି । ପରିବାର ସହ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମତଦାନ କରିଛନ୍ତି । ବୁଥ୍ ୫ରେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେସନ ହରିଚନ୍ଦନ ମହାପାତ୍ର ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମତଦାନ କରିଛନ୍ତି ।
ସୂଚନା ଯେ, ଗତବର୍ଷ ଅକ୍ଟୋବର ମାସରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା । ତେଣୁ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁରୁବାର ସକାଳ ୭ଟାରୁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ମୋଟ ୨ ଲକ୍ଷ ୨୯ହଜାର ୯୯୮ ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।