ସରକାରଙ୍କ ଦୀପାବଳି ଭେଟି! ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା କମିବ, ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ନୂଆ ଦର
ନୂଆଦିଲ୍ଲୀ : ସରକାରଙ୍କ ଦୀପାବଳି ଭେଟି । କମିବ ତୈଳ ଦର । ମହଙ୍ଗା ମାଡ଼ରେ ଲୋକଙ୍କୁ ମିଳିବ ସାମାନ୍ୟ ଆଶ୍ୱସ୍ତି। ସରକାର ପେଟ୍ରୋଲର ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଛନ୍ତି। ଆଜି ମଧ୍ୟରାତ୍ର ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ। କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାକୁ ଯାଉଛି। ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ମାଟି କାମୁଡିବା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି। ଆଉ ତେଲ ଦାମ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର।
ତୈଳ ଉପରୁ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ୧୦ ଟଙ୍କା ଶସ୍ତା ହେବ। ଏହି ଦର ଆସନ୍ତାକାଲିଠୁ ଲାଗୁ ହେବ। ପେଟ୍ରୋଲ ତୂଳନାରେ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ଦୁଇ ଗୁଣ ହ୍ରାସ ହେବ। ଆଗାମୀ ରବି ସିଜିନକୁ ଦେଖିଲେ କୃଷକଙ୍କ ପାଇଁ ଏହା ଆଶ୍ଵସ୍ତିକର ଖବର। ପେଟ୍ରୋଲ ଓ ଡିଜେଲ୍ ଦାମ କମ କରିବାର ସବୁଠୁ ବଡ କାରଣ ଜନତାଙ୍କ ଆକ୍ରୋଶ। ଦେଶର ପ୍ରାୟ ସମସ୍ତ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଛି। ଏପରିକି ଅନେକ ସହରରେ ୧୧୦ ଟଙ୍କା ପାଖାପାଖି ରହିଛି ପେଟ୍ରୋଲ। ସେହି ପରି ଡିଜେଲ୍ ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଛି। ସବୁଠୁ ଅଧିକ ମହଙ୍ଗା ମାଡ ସାଧାରଣ ଜନତାଙ୍କୁ ଅକ୍ଟୋବର ମାସରେ ସହିବାକୁ ପଡିଛି। କାରଣ ଗତ ମାସରେ ପେଟ୍ରୋଲ ପାଖାପାଖି ଆଠ ଟଙ୍କା ଏବଂ ଡିଜେଲ୍ ନଅ ଟଙ୍କା ମହଙ୍ଗା ହୋଇଥିଲା। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ହୁ ହୁ ହୋଇ ବଢି ଚାଲିଥିଲା। ସାଧାରଣ ଜନତାଙ୍କ ଆକ୍ରୋଶ ବଢିବାରେ ଲାଗିଥିଲା। ଶେଷରେ ପେଟ୍ରୋଲ ଓ ଡିଜେଲ୍ ଦରଦାମ ବୃଦ୍ଧି ଉପରେ ବ୍ରେକ୍ ଲାଗିଛି। ଏହା ପୂର୍ବରୁ ପେଟ୍ରୋଲ ଲଗାତାର ସାତ ଦିନ ଏବଂ ଡିଜେଲ୍ ମୂଲ୍ୟ ଲଗାତାର ୬ ଦିନ ୩୫-୩୫ ପଇସା ବଢି ଚାଲିଥିଲା। ମଙ୍ଗଳବାର ମଧ୍ୟ ତୈଳ କମ୍ପାନୀ ପେଟ୍ରୋଲ ଦାମ ୩୫ ପଇସା ବଢାଇଥିଲେ। ହେଲେ ଉପ ନିର୍ବାଚନରେ ଝଟକା ଲାଗିବା ପରେ ସରକାର ଚେତିଛନ୍ତି।
ସୂଚନା ଯେ, ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏଥି ଯୋଗୁ ଅନ୍ୟ ସାମଗ୍ରୀଗୁଡ଼ିକର ଦାମ ମଧ୍ୟ ବଢ଼ୁଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୧୦.୦୪ ଟଙ୍କା, କୋଲକାତାରେ ୧୧୦.୪୯ ଟଙ୍କା, ମୁମ୍ବାଇରେ ୧୧୫.୮୫ ଟଙ୍କା, ଚେନ୍ନାଇରେ ୧୦୬.୭୬ ଟଙ୍କା ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏହା ୧୧୧.୨୫ ଟଙ୍କା ରହିଛି। ହେଲେ କାଲି ଠାରୁ ଏହି ଦର ହ୍ରାସ ପାଇବ। ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଥିଲା। ବିଶେଷ କରି ହିମାଚଳ ପ୍ରଦେଶରେ ଦଳ ନିଜର ଗଡ଼ ଭାବେ ପରିଚିତ ମଣ୍ଡି ଲୋକସଭା ଆସନରେ ପରାଜୟର ସ୍ୱାଦ ଚାଖିଥିଲା। ଏହି ପରାଜୟ ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଦର ବୃଦ୍ଧି ହିଁ ବିଜେପିର ପରାଜୟର କାରଣ ବୋଲି କହିଥିଲେ। ଏହି ବୟାନକୁ ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ ସମ୍ପର୍କରେ ଘୋଷଣା କରିଛନ୍ତି।