ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ! ୮ ବର୍ଷର ରେକର୍ଡ ସ୍ତରରେ ଅଶୋଧିତ ତୈଳ ଦର, ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ଦାମ୍
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଓ ପଞ୍ଜାବ ସମେତ ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତି କ୍ଷେତ୍ରରେ ଏକ ବଡ଼ ଝଟକା ଲାଗିପାରେ । ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବ, ଏହା ପରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇପାରେ । କାରଣ ଅଶୋଧିତ ତୈଳର ମୂଲ୍ୟ ୮ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୫ ଡଲାର ଅତିକ୍ରମ କରିଛି । ଏହାପୂର୍ବରୁ ୨୦୧୪ରେ ଅଶୋଧିତ ତୈଳର ମୂଲ୍ୟ ୯୫ ଡଲାର ଅତିକ୍ରମ କରିଥିଲା ।
ଡିସେମ୍ବର ୧, ୨୦୨୧ରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୬୯ ଡଲାର ଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୯୫ ଡଲାରରେ ପହଞ୍ଚିଛି । ଅର୍ଥାତ୍ ଅଢ଼େଇ ମାସ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ୩୭% ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଶୀଘ୍ର ଏହା ବ୍ୟାରେଲ ପିଛା ୧୦୦ ଡଲାରର ମାର୍କ ମଧ୍ୟ ଅତିକ୍ରମ କରିବ । ଟେକ୍ସାସର ତୈଳ କମ୍ପାନୀ ପିୟୋନିଅର୍ ନେଚୁରାଲ ରିସୋର୍ସେଜର ସ୍କଟ୍ ଶେଫିଲ୍ଡ କହିଛନ୍ତି ଯେ, ଯଦି ପୁଟିନ ଆକ୍ରମଣ କରନ୍ତି ତେବେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ୧୦୦ରୁ ୧୨୦ ଡଲାରରେ ପହଞ୍ଚିପାରେ, କିନ୍ତୁ ଯଦି ବାଇଡେନ ଇରାନ ଉପରେ ପ୍ରତିବନ୍ଧକ ହଟାନ୍ତି ତେବେ ଏହାର ମୂଲ୍ୟରେ ୧୦ ଡଲାରର ହ୍ରାସ ଦେଖାଦେବ । ବର୍ତ୍ତମାନ ବଜାରରେ ଯେତିକି ଚାହିଦା ଅଛି, ସେପରି କୌଣସି ଯୋଗାଣ ନାହିଁ, ଯେଉଁଥିପାଇଁ ମୂଲ୍ୟ ୧୦୦ ଡଲାର ଅତିକ୍ରମ କରିବ ଏହା ନିଶ୍ଚିତ ଅଟେ ।
ବିଶେଷଜ୍ଞଙ୍କ କହିବାନୁସାରେ, ପେଟ୍ରୋଲ ଓ ଡିଜେଲର ମୂଲ୍ୟ ନିର୍ଦ୍ଧାରଣ କରିବାରେ ସରକାର ଏହାର ଭୂମିକାକୁ ଅସ୍ୱୀକାର କରିପାରନ୍ତି, କିନ୍ତୁ ବିଗତ ବର୍ଷଗୁଡ଼ିକରେ ଏହା ଦେଖାଦେଇଛି ଯେ, ନିର୍ବାଚନ ସମୟରେ ସରକାର ଜନସାଧାରଣଙ୍କୁ ଖୁସି କରିବା ପାଇଁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରନ୍ତି ନାହିଁ । ଗତ ବର୍ଷର ଟ୍ରେଣ୍ଡ କହୁଛି ଯେ ନିର୍ବାଚନ ଋତୁରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିରୁ ଜନସାଧାରଣ ରିହାତି ପାଇଛନ୍ତି । ରେଟିଂ ଏଜେନ୍ସି ଆଇକ୍ରାର ଉପ-ସଭାପତି ତଥା କୋ-ଗ୍ରୁପ୍ ହେଡ୍ ପ୍ରଶାନ୍ତ ବୈଷ୍ଣବଙ୍କ ଅନୁଯାୟୀ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହାରାହାରି ୫୫-୬୦ ପଇସା ବୃଦ୍ଧି ପାଇଥାଏ ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧ ଡଲାରରେ ମହଙ୍ଗା ହୁଏ । ଏଭଳି ପରିସ୍ଥିତିରେ ଯଦି ଅଶୋଧିତ ତୈଳ ୧୦୦ ଡଲାରରେ ପହଞ୍ଚେ, ତେବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।
ସୂଚନା ଯେ, ଜୁନ୍ ୨୦୧୦ ପର୍ଯ୍ୟନ୍ତ ସରକାର ପେଟ୍ରୋଲର ମୂଲ୍ୟ ସ୍ଥିର କରୁଥିଲେ ଓ ଏହାକୁ ପ୍ରତି ୧୫ ଦିନରେ ପରିବର୍ତ୍ତନ କରାଯାଉଥିଲା । ୨୬ ଜୁନ୍ ୨୦୧୦ ପରେ ସରକାର ପେଟ୍ରୋଲର ମୂଲ୍ୟ ସ୍ଥିର କରିବାର ଅଧିକାର ତୈଳ କମ୍ପାନୀଗୁଡିକୁ ଦେଇଛନ୍ତି । ସେହିଭଳି ଅକ୍ଟୋବର ୨୦୧୪ ପର୍ଯ୍ୟନ୍ତ ଡିଜେଲର ମୂଲ୍ୟ ମଧ୍ୟ ସରକାର ସ୍ଥିର କରୁଥିଲେ, କିନ୍ତୁ ଅକ୍ଟୋବର ୧୯, ୨୦୧୪ ଠାରୁ ସରକାର ଏହି କାର୍ଯ୍ୟକୁ ତୈଳ କମ୍ପାନୀଗୁଡିକୁ ହସ୍ତାନ୍ତର କରିଥିଲେ ।