ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର; ପାଞ୍ଚ ଦିନରେ ୩ ଟଙ୍କା ୨୦ ପଇସା ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବଢ଼ିଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ଘଟିଛି । ଏଥସହ ଜାତୀୟ ରାଜଧାନୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୮ ଟଙ୍କା ୬୧ ପଇସା ଏବଂ ଡିଜେଲ ଲିଟର ପିଛା ୮୯ ଟଙ୍କା ୮୭ ପଇସା ହୋଇଛି। ଗତକାଲି ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ୮୦ ପଇସା ଲେଖାଏଁ ବଢ଼ିଥିଲା । ଗତ ପାଞ୍ଚ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ତୈଳଦର ବଢ଼ିଛି । ତେଲଦରରେ କ୍ରମାଗତ ବୃଦ୍ଧି ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା। ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି। ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଚତୁର୍ଥ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ବେଳେ ଲିଟର ପିଛା ୮୦ ପଇସା ଲେଖାଏଁ ବଢ଼ିଛି। ଫଳରେ ଚାରି ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୩ ଟଙ୍କା ୨୦ ପଇସା ପର୍ଯ୍ୟନ୍ତ ମହଙ୍ଗା ହୋଇଛି।
ଏନଡି ଟିଭିର ରିପୋର୍ଟ ଅନୁସାରେ, ମୂଲ୍ୟ ବୃଦ୍ଧି ପରେ ଓଡିଶାରେ ପେଟ୍ରୋଲ ଦର ୧୦୫ ଟଙ୍କା ୨୨ ପଇସା ଥିବା ବେଳେ ଡିଜେଲ ୯୫ ଟଙ୍କା ୦୨ ପଇସା ରହିଛି । ସେହିପରି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୯୮ଟଙ୍କା ୬୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୯ଟଙ୍କା ୮୭ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୩ଟଙ୍କା ୩୫ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୯୭ଟଙ୍କା ୫୫ ପଇସା ଦରରେ କାରବାର ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୦୨ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୩ ଟଙ୍କା ୦୧ ପଇସା ଦରରେ ବିକ୍ରି ହେଉଛି।