ମହଙ୍ଗା ନୁହେଁ ଶସ୍ତା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ!
ନୂଆଦିଲ୍ଲୀ : ଋଷିଆର ୟୁକ୍ରେନ ଆକ୍ରମଣ ସମଗ୍ର ବିଶ୍ୱ ବଜାରକୁ ପ୍ରଭାବିତ କରିଛି । ଋଷିଆ ଉପରେ ପାଶ୍ଚାତ୍ୟ କଟକଣା ଅଶୋଧିତ ତୈଳ ବଜାର ଉପରେ ଅନୁଭୂତ ହେଉଥିବା ବେଳେ ବାରଲ ପିଛା ଦର ଏବେ ୩୦୦ ଡଲାରକୁ ପହଂଚିବ ବୋଲି ଆକଳନ କରାଯାଉଛି । ଏଥିରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ନେଇ ଭଲ ଖବର ଆସୁଛି । ଏକ ପ୍ରମୁଖ ସରକାରୀ ତୈଳ କମ୍ପାନୀଙ୍କ ଅଧିକାରୀ ଭାରତରେ ପେଟ୍ରୋଲ ଓ ଡଜେଲ ମହଙ୍ଗା ନୁହେଁ ଏବେ ଶସ୍ତା ହେବାକୁ ଯାଉଥିବା କହିଛନ୍ତି । ଅଧିକାରୀଙ୍କ ଅନୁସାରେ ଯଦି ଏହା ହୁଏ ତେବେ ଦେଶରେ ଖୁବ୍ ଶୀଘ୍ର ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ ହ୍ରାସ ହେବ । ତେବେ ପେଟ୍ରୋଲ ଡିଜେଲ ଦେଶରେ ମହଙ୍ଗା ଅଥବା ଶସ୍ତା ହେବ ତାହା ଆଗାମୀ ଦିନରେ ଜଣାପଡିଯିବ । ଏଥିରେ ପେଟ୍ରୋଲିୟମ କମ୍ପାନୀ ଅଧିକାରୀଙ୍କ ବୟାନ ଆମେରିକାର ସେହି ଘୋଷଣା ପରେ ଆସିଛି, ଯେଉଁଥିରେ ଋଷିଆର ଅଶୋଧିତ ତୈଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଏହି କଟକଣା ପରେ ଋଷିଆର ଅଶୋଧିତ ତୈଳ ମୂଲ୍ୟ ୨୦୦୮ ମସିହା ପରେ ଏହାର ସର୍ବୋଚ୍ଚସ୍ତରକୁ ପହଂଚିଛି । ତେବେ ଆମେରିକାର ଏହି ନିଷ୍ପତି ଗ୍ଲୋବାଲ ଏନର୍ଜି ମାର୍କେଟରେ ଭୟାନକ ଅବସ୍ଥା ସୃଷ୍ଟି କରିବ ବୋଲି ଋଷିୟ ଉପପ୍ରଧାନମନ୍ତ୍ରୀ ଆଲେକ୍ସାନ୍ଦ୍ର ନାଭାକ ସତର୍କ କରିଛନ୍ତି । ଏଥିରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲପିଛା ଦର ଏବେ ୩୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଉଛି । ତେବେ ଆସନ୍ତ ଜାଣିବା ଶୀର୍ଷ ସରକାରୀ ଅଧିକାରୀ କହିଛନ୍ତି କ’ଣ?
ବିଶ୍ୱବଜାରରେ ତୈଳ ଦର ଉଠାପକା ହେଉଥିଲେ ହେଁ ଭାରତରେ ଗତ ଦୀପାବଳି ପରଠାରୁ ପେଟ୍ରୋଲିୟମ ପଦାର୍ଥର ମୂଲ୍ୟରେ ସେପରି ବୃଦ୍ଧି କି ହ୍ରାସ ଦେଖାଯାଇନି । ତେବେ ଅନେକ ଲୋକେ ଏହାକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ରାଜନୀତି ବୋଲି ଏବେବି ଭାବୁଛନ୍ତି । ଏପରିକି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାଇନାଡ ସାଂସଦ ମଧ୍ୟ ୭ ମାର୍ଚ୍ଚ ପରେ ଗାଡିର ଟାଙ୍କି ଭରାଇ ନିଅନ୍ତୁ, କାରଣ ବିଧାନସଭା ନିର୍ବାଚନ ଏବେ ଶେଷ ହେବାକୁ ଯାଉଛି ବୋଲି ଟ୍ୱିଟ୍ କରିଥିଲେ । ମାର୍ଚ୍ଚ ୧୦ ତାରିଖ ଅର୍ଥାତ ଗୁରୁବାର ଭୋଟ ଗଣନା ପରେ ହୁଏତ ପେଟ୍ରୋଲିୟମ କମ୍ପାନୀମାନେ ଦେଶରେ ଇନ୍ଧନ ଦର ବୃଦ୍ଧି କରିପାରନ୍ତି ବୋଲି ମଧ୍ୟ ଅନେକ ଅନୁମାନ କରୁଛନ୍ତି । ଏଥିରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦରରେ ୧୨ରୁ ୧୫ ଟଙ୍କା ବୃଦ୍ଧି ହେବ ବୋଲି ଆକଳନ କରାଯାଉଥିବା ବେଳେ ଅଧିକାରୀଙ୍କ ବୟାନରୁ ଏପରି କିଛି ହେବା ପରି ଏବେ ମନେ ହେଉନାହିଁ । ଦେଶର ସର୍ବବୃହତ ରିଫାଇନାରୀ ଚଳାଉଥିବା କମ୍ପାନୀ ବିପିସିଏଲଙ୍କ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଅଋଣ କୁମାର ସିଂହଙ୍କ କହିବା କଥା ହେଲା ଆଗାମୀ ୨ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ୧୦୦ ଡଲାରରୁ ତଳକୁ ଖସିବ । ଏଣୁ ତୈଳ ଦରକୁ ନେଇ ସାଧାରଣ ଜନତା ଏତେ ଆଶଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଋଷିଆ ଓ ୟୁକ୍ରେନ ଯୁଦ୍ଧ ସମାପ୍ତ ହେବା ସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲ ପିଛା ଦର ୯୦ ଡଲାର ବା ଏହାର ଆଖପାଖରେ ରହିପାରେ । ଏଣୁ ଏବେଠୁ ଘାବରେଇବାର କୌଣସି ଆବଶ୍ୟକତା ନାହିଁ । କାରଣ ଦୁନିଆ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଶୋଧିତ ତୈଳର ଉଚ୍ଚାଦର ସହନ କରିପାରିବନି । ଏପରି ହେଲେ ବିଶ୍ୱ ଅର୍ଥବ୍ୟବସ୍ଥା ଭୂଷୁଡିପଡିବା ସାଙ୍ଗକୁ ଅଶୋଧିତ ତୈଳର ଚାହିଦା ମଧ୍ୟ ହ୍ରାସ ହେବ ।
ଏଥିରେ ଯଦି ଅଶୋଧିତ ତୈଳର ଦର ଉଚ୍ଚ ରୁହେ ତେବେ ଚାହିଦା ୨ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବା ନିଶ୍ଚିତ । ଏପରି ହେଲେ ଦୈନିକ ୨ରୁ ୩ ମିଲିୟନ ବାରଲ ତୈଳ ବଳକା ହେବ । ଏଣୁ ଏହାର ସିଧାଶଳଖ ପ୍ରଭାବ ଅଶୋଧିତ ତୈଳ ବଜାର ଉପରେ ମଧ୍ୟ ପଡିବ । ବିପିସିଏଲ ଚେୟାରମ୍ୟାନଙ୍କ ଅନୁସାରେ ଆସନ୍ତା ଏପ୍ରିଲ ମାସରେ ଋଷିଆରୁ ଅଶୋଧିତ ତୈଳ ବୋଝେଇ ନେଇ ଦୁଇଟି କାର୍ଗୋ ଭାରତ ଆସିବେ । ଏପର୍ଯ୍ୟନ୍ତ ଭାରତ ସ୍ପଟ ମାର୍କେଟରୁ ଅଶୋଧିତ ତୈଳ କିଣୁଥିଲା । ଏଥିରେ ଋଷିୟ ତୈଳ ହିଁ କିଣା ଯାଇଥାଏ । ସ୍ପଟ ମାର୍କେଟରୁ ଭାରତୀୟ କମ୍ପାନୀ ୩୦ରୁ ୪୦ ପ୍ରତିଶତ ତୈଳ କ୍ରୟ କରୁଥିବା ବେଳେ ବାକି ଲଙ୍ଗଟର୍ମ ଡିଲରୁ ଅଣାଯାଏ ।