କରୋନା ସଂକ୍ରମିତ ଏପରିି ଦେବେ ଭୋଟ… ଜାଣନ୍ତୁ କିପରି ପ୍ରସ୍ତୁତି କରିଛନ୍ତି ନିର୍ବାଚନ ଆୟୋଗ?
![](https://thetruths.in/wp-content/uploads/2022/01/Ballot-Paper-Vote-1024x768.png)
ନୂଆଦିଲ୍ଲୀ : ଦେଶର ୫ଟି ରାଜ୍ୟରେ ଆସନ୍ତା ଫେବୃଆରୀ ୧୦ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ କରୋନା ସଂକ୍ରମିତ ଲୋକ କିପରି ଭୋଟ ଦେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରଶ୍ନର ଉତ୍ତର ନିର୍ବାଚନ ଆୟୋଗ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନା ପଜିଟିଭ ଲୋକଙ୍କ ପାଇଁ ବାଲେଟ ପେପରରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। କୋଭିଡ ସଂକ୍ରମିତ ଲୋକଙ୍କ ବ୍ୟତୀତ ୮୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପୋଷ୍ଟାଲ ବାଲେଟ ଜରିଆରେ ଭୋଟ ଦେବେ।
ଚଳିତ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତିନୋଟି କ୍ଷେତ୍ର ଉପର ପ୍ରାଥମିକତା ଦେଇଛନ୍ତି। ଏହା ମଧ୍ୟରେ ରହିଛି କରୋନା ପ୍ରୋଟୋକଲ୍ ଅନୁସରଣ କରିବା, ନିର୍ବାଚନ ସହ ଜଡି଼ତ ସମସ୍ତ ପ୍ରକ୍ରିୟାକୁ ସହଜରେ ସମାପ୍ତ କରିବା ଏବଂ ସର୍ବାଧିକ ଭୋଟ୍ ଗ୍ରହଣ କରିବା। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ଲାଗି ଅଧିକ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି।
ନିର୍ବାଚନ ଦାୟିତ୍ୱରେ ନିୟୋଜିତ ହୋଇଥିବା ଲୋକଙ୍କୁ ଆଗଧାଡ଼ିର କର୍ମଚାରୀଙ୍କ ଭଳି ବ୍ୟବହାର କରାଯିବ ଏବଂ ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନ କରାଯିବ। ଯେଉଁ ନିର୍ବାଚନ ଅଧିକାରୀ ଏହାକୁ ନେବା ପାଇଁ ଚାହିଁବେ ସେମାନଙ୍କୁ ମଧ୍ୟ ଏହି ଡୋଜ ପ୍ରଦାନ କରାଯିବ। କୋରୋନା ମହାମାରୀକୁ ନଜରରେ ରଖି ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ସହ ଜଡ଼ିତ କୌଣସି ପ୍ରକାର ରାଲି, ପଦଯାତ୍ରା କିମ୍ବା ଜନସଭା ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଏହି ସମୟରେ ମଧ୍ୟରେ କୌଣସି ରାଜନୈତିକ ଦଳ କିମ୍ବା ଦଳୀୟ ପ୍ରାର୍ଥୀ ଦ୍ୱାର ଦ୍ୱାର ବୁଲି ପ୍ରଚାର କରିପାରିବେ। ମାତ୍ର ଏପରି ପ୍ରଚାର ଅଭିଯାନକୁ ସର୍ବମୋଟ ୫ ଜଣ ଲୋକଙ୍କ ଦ୍ୱାରା କରାଯିବ।
ଚଳିତ ଥର ରାଜନୈତିକ ଦଳ କିମ୍ବା ଏହାର ଦଳୀୟ ପ୍ରାର୍ଥୀଙ୍କୁ ଭରଚୁଆଲ ରାଲି କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଏଥର ମତଦାନ ସମୟକୁ ୧ ଘଣ୍ଟା ବୃଦ୍ଧି କରାଯାଇଥିବା ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ୧୨୫୦ ମତଦାତାଙ୍କ ପାଇଁ ଗୋଟିଏ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ସମସ୍ତ ମତଦାନ କେନ୍ଦ୍ର ତଳ ମହଲାରେ ରହିବ। ୮୦ ବର୍ଷରୁ ଅଧିକ ଲୋକଙ୍କ ସୁବିଧା ପାଇଁ ଡାକ ଭୋଟର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଯେଉଁ ଦିନ ନିର୍ବାଚନ ଫଳ ପ୍ରକାଶ ପାଇବ ସେଦିନ କୌଣସି ପ୍ରାର୍ଥୀ ନିଜର ବିଜୟ ଶୋଭାଯାତ୍ରା ବାହାର କରିପାରିବେ ନାହିଁ।