ପୋଲିସ ଉପରକୁ ଆକ୍ରମଣ ଓ ଜିପ୍ ଜାଳିଦେବା ଘଟଣା : ୨୪ ପ୍ରବାସୀ ଶ୍ରମିକ ଗିରଫ
ଥିରୁଅନନ୍ତପୁରମ: କେରଳ କୋଚିର କିଜାକକମ୍ବଲାମରେ ପ୍ରବାସୀ ଶ୍ରମିକମାନେ ପୋଲିସ ଉପରକୁ ଆକ୍ରମଣ କରିବା ଓ ପୋଲିସ ଜିପ୍ ଜାଳିଦେବା ଘଟଣା । ଘଟଣାରେ ଦୁଇଟି ମାମଲା ରୁଜ୍ଜୁ ହୋଇଛି । ମୋଟ ୨୪ ଶ୍ରମିକଙ୍କୁ ଘଟଣାରେ ସଂପୃକ୍ତି ଥିବା ନେଇ ଗିରଫ କରାଯାଇଛି ।
ଗିରଫ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ୧୮ ଜଣଙ୍କୁ ସିଆଇଙ୍କୁ ହତ୍ୟା କରିବା ଉଦ୍ୟମରେ ଗିରଫ କରାଯାଇଥିବା ବେଳେ ୬ଜଣଙ୍କୁ ପୋଲିସ ଜିପ୍ ଜାଳି ଦେବା ନେଇ ଗିରଫ କରାଯାଇଛି । ଘଟଣାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଅନୁମାନ କରାଯାଉଛି । ଅଧିକ ଲୋକ ଗିରଫ ହୋଇପାରନ୍ତି । ଘଟଣାରେ ୧୫୬ରୁ ଅଧିକଙ୍କୁ ପୋଲିସ ହେପାଜତକୁ ନିଆଯାଇଥିଲା । ସୂଚନା ଯେ, ଶନିବାର ମଧ୍ୟରାତ୍ରୀରେ ବଡଦିନ ଉତ୍ସବ ସମୟରେ କିଜାକକମ୍ବଲାମରେ ଏକ ଶ୍ରମିକ ଶିବିରରେ ପହଞ୍ଚିଥିବା ପୋଲିସ ଦଳ ଉପରେ ଆକ୍ରମଣ କରିଥିଲେ ପ୍ରବାସୀ ଶ୍ରମିକ । ପୋଲିସ କହିବା ଅନୁସାରେ କିଟେକ୍ସ କମ୍ପାନୀରେ ଏହି ଶ୍ରମିକମାନେ କାର୍ଯ୍ୟ କରନ୍ତି । କମ୍ପାନୀ ଶ୍ରମିକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ସ୍ଥିତି ନୟନ୍ତ୍ରଣ ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପାଖାପାଖି ୩୦୦ ପ୍ରବାସୀ ଶ୍ରମିକ ପୋଲିସ ଉପରେ ଆକ୍ରମଣ କରିଥିଲେ ।