ବାଲେଶ୍ୱର ଏମ୍ସରେ ଶନିବାର ଓ ରବିବାର ଆରମ୍ଭ ହେବ ରୋଗୀସେବା
ବାଲେଶ୍ୱର : ଭୁବନେଶ୍ୱର ସ୍ଥିତ ଏମ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୬ତାରିଖ ଶନିବାର ଓ ୧୭ ତାରିଖ ରବିବାର ପୂର୍ବାହ୍ନ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ପାଶ୍ୱର୍ ସ୍ଥିତ (ବାମପଦା) ନବନିର୍ମିତ ଏମ୍ସ୍ ଚିକିତ୍ସାଳୟରେ ରୋଗୀସେବା ପ୍ରଦାନ କରାଯିବ । ଉକ୍ତ ଦୁଇଦିନ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ), ଜେନେରାଲ୍ ସର୍ଜରୀ (ଶଲ୍ୟ ଚିକିତ୍ସା) ଓ ସ୍କିନ୍ (ଚର୍ମ ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀ ଚିକିତ୍ସା କରିବେ । ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ଉକ୍ତ ଦୁଇଦିନ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ।
ସୂଚନା ଯେ, ଗତ ୬ ତାରିଖରେ ଏମ୍ସ୍ର ନିର୍ଦ୍ଦେଶକଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ମେଡ଼ିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିରକ୍ଷା ବିଭାଗ କଲୋନୀରେ ପୂର୍ବରୁ ଚାଲିଆସିଥିବା ଏହି ଚିକିତ୍ସା କରୋନା ସମୟରେ ବନ୍ଦ ଥିବାରୁ ତାହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରାଯାଇଥିଲା । ତେଣୁ ଏହି ସ୍ୱାସ୍ଥ୍ୟସେବା ଆରମ୍ଭ ହେବାକୁ ଯାଉଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏମସ୍ ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇବା ସହ ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରାଯାଇଛି ବୋଲି ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ବୁଧବାର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।