ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଅବିଭାବକ : ଶିକ୍ଷୟିତ୍ରୀ, ଶିକ୍ଷକ ଅଟକ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସରକାରୀ ୟୁଜିୟୁପି ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି । ଦୀର୍ଘ ଦିନ ଧରି ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ହେଉ ନ ଥିବାରୁ ଅବିଭାବକ, ଗ୍ରାମବାସୀ ଫାଟକରେ ତାଲାପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଅଟକ ରହିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ବିଦ୍ୟାଳୟରେ ହେଉଥିବା କାର୍ଯ୍ୟର ତଦାରଖ କରିବା ପାଇଁ କମିଟି ନଥିବାରୁ ଛାତ୍ରୀଛାତ୍ରମାନେ ଶିକ୍ଷକ ମାନଙ୍କର ମନମୁଖୀ କାର୍ଯ୍ୟର ଶିକାର ହେଉଛନ୍ତି । ପିଲାମାନଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ହୋଇଛି । ଶିକ୍ଷୟତ୍ରୀ ଓ ଶିକ୍ଷକ ମାନେ ମନମୁଖୀ ଭାବେ ବିଦ୍ୟାଳୟକୁ ଆସୁଛନ୍ତି । ଗତ ଜାନୁଆରୀ ୨୦୨୧ ଠାରୁ ପୂର୍ବ କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଛି । ଦୁଇବର୍ଷ ହେବ ଉଦ୍ଦେଶ୍ୟ ମୂଳକ ଭାବେ ନୂତନ କମିଟି ଗଠନ କରାଯାଉ ନଥିବାରୁ ଅସନ୍ତୋଷ ଲାଗିରହିଛି । ଗୁରୁବାର ଅବିଭାବକ ଓ ଗ୍ରାମବାସୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅଟକ ରଖି ଗେଟରେ ତାଲା ପକାଇଥିଲେ । ଘଟଣା ସମ୍ପର୍କରେ ପଚାରିବାରୁ ନୂତନ କମିଟି ଗଠନ ପାଇଁ ବିଦ୍ୟାଳୟ ତରଫରୁ ବାରମ୍ବାର ଚେଷ୍ଟା କରାଯାଇଥିଲେ ବି ସରପଞ୍ଚଙ୍କ ଅନୁପସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇପାରି ନାହିଁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତଳା ଜେନା କହିଥିଲେ । ଶିକ୍ଷା ବିଭାଗର ହସ୍ତକ୍ଷେପ ପରେ ଏବଂ ଆସନ୍ତା ସୋମବାର ସୁଦ୍ଧା ନୂତନ କମିଟି ଗଠନ କରାଯିବାର ପ୍ରଧାନ ଶିକ୍ଷୟିତ୍ରୀ ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।