ପରକୀୟା ପ୍ରୀତି ନେଲା ଜୀବନ, ସ୍ୱାମୀ ଗିରଫ
ନୀଳଗିରି : ଦିନକୁ ଆମ ସମାଜରେ ପ୍ରେମଜନିତ ହତ୍ୟାକାଣ୍ଡ ବଢ଼ିବାରେ ଲାଗିଛି । ଏପରି ଏକ ପରକୀୟା ପ୍ରୀତି ପାଇଁ ଗଲା ପତ୍ନୀଙ୍କ ଜୀବନ । ପରକୀୟା ପ୍ରେମକୁ ବିରୋଧ କରିବାରୁ ସ୍ୱାମୀ ନେଲା ସ୍ତ୍ରୀର ଜୀବନ । ଘଟଣାକୁ ନେଇ ବାପ ଘର ଲୋକଙ୍କ ଅଭିଯୋଗ ପରେ ସ୍ୱାମୀ ଗିରଫ । ଏହି ଘଟଣା ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ଗରଡ଼ିହି ଗାଁରେ ଦେଖିବାକୁ ମିଳିଛି ।
ସୂଚନା ଯେ, କପ୍ତିପଦା ଥାନା ଅଞ୍ଚଳର ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତା ମଣ୍ଡଳଙ୍କୁ ବରହମପୁର ଥାନା ଅଧୀନ ଗରଡ଼ିହି ଗାଁର ମୁରଲୀଧର ବେହେରାଙ୍କ ପୁଅ ଦୀପ୍ତି କିଶୋର ବେହେରା ୩ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବାହାଘରର ୬ମାସ ପରେ ଦୀପ୍ତିଙ୍କ ମା’ବାପା ସମେତ ପରିବାର ଲୋକେ ଅଧିକ ଯୌତୁକ ଦାବିକରୀ ପିଟାମରା କରିଆସୁଥିଲେ । ସବିତାଙ୍କ ଘର ଲୋକେ ଏହା ଜାଣିବା ପରେ ବହୁବାର ବୈଠକ କରି ବୁଝାସୁଝା କରିଥିଲେ । ହେଲେ ଉକ୍ତ ଘଟଣା ବାରମ୍ବାର ହେବାପରେ ଏନେଇ ଗତ ୨୦୨୦ ଜୁଲାଇ ୧୬ରେ ବରହମପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଝିଅର ଭବିଷ୍ୟତକୁ ଲକ୍ଷ୍ୟ କରି ଉଭୟଙ୍କ ମଧ୍ୟରେ ଥାନାରେ ଆପୋଷ ବୁଝାବଣା ମଧ୍ୟ ହୋଇଥିଲା । ପରେ ଦୀପ୍ତିଙ୍କ ସହ ଗାଁର ଅନ୍ୟଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାକୁ ବିରୋଧ କରିଥିଲେ ସବିତା । ଯାହାକୁ ନେଇ ସବିତା ଓ ଦୀପ୍ତିଙ୍କ ମଧ୍ୟରେ ଝଗଡ଼ାଝାଣ୍ଟି ହେଉଥିଲା । ଗତ ଶୁକ୍ରବାର ଦୀପ୍ତିଙ୍କ ପ୍ରେମିକା ତାଙ୍କ ଘରକୁ ଆସିବା ଫଳରେ ରାତିରେ ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଶେଷରେ ମାରପିଟ୍ ହୋଇଥିଲା । ଏଥିରେ ସବିତା ଗୁରୁତର ହେବାରୁ ତାଙ୍କୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାରପିଟ୍ ଯୋଗୁଁ ସବିତାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପା ପ୍ରଶାନ୍ତ ମଣ୍ଡଳ ଶନିବାର ବରହମ୍ପୁର ଥାନାରେ ସ୍ୱାମୀ ଦୀପ୍ତି କିଶୋର ବେହେରା, ଶାଶୁ କମଳା ବେହେରା, ମମତା ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ହତ୍ୟାକାରୀକୁ ଉଚିତ୍ ଦଣ୍ଡ ମିଳୁ ବୋଲି ଅନୁରୋଧ କରିଛନ୍ତି । ଏନେଇ ବରହମ୍ପୁର ଥାନା ପକ୍ଷରୁ ଏକ ହତ୍ୟା ମାମଲା (ନଂ. ୨୯/୨୩) ରୁଜୁ କରି ସ୍ୱାମୀ ଦୀପ୍ତି କିଶୋର ବେହେରାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ମୃତଦେହ ବ୍ୟବଚ୍ଚେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଯେ, ଉଭୟଙ୍କର ଏକ ଶିଶୁକନ୍ୟା ଓ ୩ମାସର ଶିଶୁପୁତ୍ର ଥିବାର ଜଣାପଡ଼ିଛି ।