ପଂଚାୟତ ନିର୍ବାଚନ : ଭୋଟ୍ ଦିନ ଦରମା ସହ ଛୁଟି ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ପଂଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ କର୍ମଚାରୀଙ୍କୁ ଦରମା ପ୍ରଦାନ ସହ ଛୁଟି ଦେବାଲାଗି ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ବାଣିଜ୍ୟ ଓ ଶିଳ୍ପାନୁଷ୍ଠାନ ନିଜ ନିଜ ଅଂଚଳ ପାଇଁ ସ୍ଥିର ହୋଇଥିବା ମତଦାନ ତାରିଖ ଦିନ ସେମାନଙ୍କ କର୍ମଚାରୀଙ୍କୁ ଦରମା ସହ ଛୁଟି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ସରକାର ଏ ବାବଦରେ ଏକ ଚିଠି ଲେଖାଯାଇଛି ।
ରାଜ୍ୟ ନିର୍ବାଚନ କମିଶନ ଏକ ଚିଠି ଜାରି କରି କହିଛନ୍ତି ଯେକୌଣସି ବ୍ୟବସାୟ, ବାଣିଜ୍ୟ, ଶିଳ୍ପାନୁଷ୍ଠାନ କିମ୍ବା ଅନ୍ୟ ପ୍ରତିଷ୍ଠାନରେ ନିୟୋଜିତ ଏବଂ ଉକ୍ତ ନିର୍ବାଚନରେ ଭୋଟ୍ ଦେବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦରମା ପ୍ରଦାନ କରାଯିବ । ମତଦାନ ଦିନ ଛୁଟିଦିନ ବୋଲି ଚିଠିରେ ଦର୍ଶାଯାଇଛି । ଉପରୋକ୍ତ ନିର୍ଦ୍ଦେଶର ଯେକୌଣସି ଉଲ୍ଲଂଘନ ଏକ ଅପରାଧ ଭାବରେ ପରିଗଣିତ ହେବ । କର୍ମଚାରୀଙ୍କ ଦ୍ୱାରା ଲିଖିତ ଆବେଦନ ଏଥିପାଇଁ ଯଥେଷ୍ଟ ହେବ ବୋଲି ଏଥିରେ କୁହାଯାଇଛି । ସୂଚନା ଅନୁଯାୟୀ ଯେଉଁଦିନ ଯେଉଁ ଅଞ୍ଚଳରେ ମତଦାନ ଥିବ ସେହି ଅଞ୍ଚଳରେ ଭୋଟରମାନେ ଛୁଟି ନେଇ ପାରିବେ । ଏହି ନିୟମ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀମାନଙ୍କ ପାଇଁ ଲାଗୁ ହୋଇଛି । ଯେଉଁ କର୍ମଚାରୀଙ୍କୁ ଛୁଟି ଆବେଦନ ପରେ ବି ଛୁଟି ନମିଳିବ ଏହା ଏକ ଅପରାଧ ବୋଲି ଧରାଯିବ । ସୂଚନା ଥାଉକି ଏଥର ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । ପ୍ରଥମେ ୧୬ ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ପରେ ୧୮, ୧୯,୨୦, ୨୨, ୨୪ ରେ ହେବ ମତଦାନ ।