ପଞ୍ଚାୟତ ନିର୍ବାଚନ : ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ଓ ତଦନୁସାରେ ଆସନ୍ତା ଫେବୃଆରୀ ୧୬ ତାରିଖଠାରୁ ଫେବୃଆରୀ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି । ତା.୧୪/୦୨/୨୦୨୨ରିଖ ଅପରାହଅ ୫ ଘଟିକାଠାରୁ ତା. ୦୧/୦୩/୨୦୨୨ରିଖ ଅପରାହଅ ୫ ଘଟିକା ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ପୁଲିଙ୍ଗ ଅଧିକାରୀ, ପୁଲିସ୍ ଅଧିକାରୀ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମତଦାନ କେନ୍ଦ୍ର କିମ୍ବା ମତଦାନ କେନ୍ଦ୍ର ଆଖପାଖ ଅଂଚଳରେ ରହିପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ସଂପୃକ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଉପରେ ନିର୍ବାଚନ କମିଶନର ଗୁରୁତ୍ୱାରୋପ କରିଛନ୍ତି । ମତଦାନର ୪୮ ଘଂଟା ପୂର୍ବରୁ ଏବଂ ମତଦାନ ପରଦିନ ପର୍ଯ୍ୟନ୍ତ ଯେଉଁ ସ୍ଥାନରେ ନିର୍ବାଚନ ହେବାକୁ ଥିବ ସେଠାରେ ମଦର ବିକ୍ରୟ ଓ ବଂଟନ ଉପରେ ନିଷେଧାଦେଶ ଜାରିକରି ରାଜ୍ୟ ଅବକାରୀ ବିଭାଗକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଅନ୍ୟ ସ୍ଥାନକୁ ମାଦକ ଦ୍ରବ୍ୟର ପରିବହନ, ହୋଟେଲ କିମ୍ବା ରେଷ୍ଟୁରାଂଟ, ଦୋକାନରେ ଅବା ଅନ୍ୟକୌଣସିଠାରେ ମଦର ବ୍ୟବହାର କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନର ସମସ୍ତ ପ୍ରକାରର ବାରଣ କରିଛନ୍ତି । ପଂଚାୟତ ନିର୍ବାଚନରେ ମତଦାନ ନିମନ୍ତେ ସମସ୍ତ ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନର କର୍ମଚାରୀମାନଙ୍କୁ ମତଦାନ ଦିନଟିକୁ ରାଜ୍ୟ ନିର୍ବାଚନ କମିଶନ ସବୈତନିକ ଛୁଟି ଦିନ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି । ଯେଉଁ କର୍ମଚାରୀମାନଙ୍କର ମତଦାନ କେନ୍ଦ୍ରଠାରୁ କର୍ମସ୍ଥଳ ଦୂର ହୋଇଥିବ ସେମାନେ ତିନିଦିନ ସ୍ୱତନ୍ତ୍ର ସିଏଲ୍ ପାଇବେ ବୋଲି ନିର୍ବାଚନ କମିଶନ ସଂପୃକ୍ତ ବିଭାଗକୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ସେହିପରି ଗ୍ରାମାଂଚଳରେ ବିଭିନ୍ନ ଅନୁଷ୍ଠାନ କିମ୍ବା ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନିର୍ବାଚନରେ ମତଦାନର ସୁଯୋଗ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ମତଦାନ ଦିବସକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।