ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଚଳଚଞ୍ଚଳ । ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ ବ୍ଲକରେ ମତଦାନ ହେବ । ୨୦୨ ଜିଲ୍ଲା ପରିଷଦ ଆସନରେ ନିଆଯିବ ଭୋଟ୍ । ପଞ୍ଚାୟତ ନିର୍ବାଚନ ପାଇଁ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ଦେବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାର ଓ ବେସରକାରୀ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହେବ । କର୍ମଚାରୀଙ୍କ ଆବେଦନ ସତ୍ୱେ ଛୁଟି ନଦେଲେ ତାହାକୁ ଅପରାଧ ଭାବେ ଗଣାଯିବ । ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ ।
ଆସନ୍ତା ୧୬ ତାରିଖରେ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୧ଟି ବ୍ଲକ୍ର ୨୦୦ ଜିଲ୍ଲା ପରିଷଦ ଜୋନ୍ରେ ମତଦାନ ହେବ । ଉକ୍ତ ଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଂଚାୟତରେ ଭୋଟ୍ ଗ୍ରହଣ କରାଯିବ । ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର । ଏଥିଲାଗି ଆଜି ୧୧ଟି ଜିଲ୍ଲା ଏବଂ ୧୫ ତାରିଖରେ ୧୯ଟି ଜିଲ୍ଲାକୁ ଯିବେ ପୋଲିଂ ପାର୍ଟି । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ପୋଲିଂ ବୁଥ୍କୁ ଯିବେ ପୋଲିଂ ପାର୍ଟିଂ । ପ୍ରଚାର ସମୟସୀମା ଶେଷ ହେବା ପରେ ରାଜନୈତିକ ଦଳର ନେତା ଓ ଅନ୍ୟ ଅଂଚଳର ନେତାମାନେ ସ୍ଥାନୀୟ ଅଂଚଳରେ ରହିପାରିବେନି । ପଂଚାୟତ ନିର୍ବାଚନ ପାଇଁ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏହାପରେ ତିନି ଦିନ ଧରି ୨୬, ୨୭ ଓ ୨୮ରେ ବ୍ଳକ୍ ହେଡକ୍ୱାଟରଗୁଡ଼ିକରେ ଗଣତି ହେବ ।