ପାକ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଝଟକା, ହାତ ଛାଡ଼ିଲା ଏମ୍କ୍ୟୁଏମ୍-ପି
ଇସଲାମାବାଦ : ପାକିସ୍ତାନରେ ନିଜର ଚୌକି ସୁରକ୍ଷିତ ନେଇ ମିଥ୍ୟା ଦାବି କରୁଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ସହଯୋଗୀ ଦଳ ଏମ୍କ୍ୟୁଏମ୍-ପି ଶକ୍ତ ଝଟକା ଦେଇଛି । ସଂଯୁକ୍ତ ବିରୋଧ ତରଫରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଏମ୍କ୍ୟୁଏମ୍-ପି ଇମ୍ରାନ୍ ଖାନ ବିରୋଧରେ ଭୋଟ ଦେବାକୁ ଘୋଷଣା କରିଛି । ଏମ୍କ୍ୟୁଏମ୍ ସହିତ ସଂପର୍କ ଶେଷ ହେବା ପରେ ଇମ୍ରାନ୍ ସମର୍ଥକଙ୍କ ସାଂସଦଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି । ବିରୋଧୀ ଦଳର ସାଂସଦଙ୍କ ସଂଖ୍ୟା ୧୭୭ ହୋଇଛି । ଏମ୍କ୍ୟୁଏମ୍-ପିର ମୋଟ ୭ ଜଣ ସାଂସଦ ଅଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ, ଏବେ ବିରୋଧୀ ଦଳକୁ ଇମ୍ରାନଙ୍କ ପାର୍ଟିଙ୍କ ବିଦ୍ରୋହୀ ସାଂସଦଙ୍କ ମଧ୍ୟ ଆବଶ୍ୟକତା ନାହିଁ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇମ୍ରାନ ଖାନ ସରକାର ସଂସଦର ନିମ୍ନ ଗୃହରେ ନିଜର ବହୁମତ ହରାଇଛନ୍ତି । ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ ଗ୍ରହଣ କରାଯାଇପାରେ । ଏଥିରେ ଇମ୍ରାନ ସରକାର ଚାଲିଯିବାର ସମ୍ଭାବନା ଦେଖାଯାଉଛି । ବିରୋଧୀ ଦଳ ସହିତ ଏକ ପ୍ରସଙ୍ଗ ଉପରେ ଦସ୍ତଖତ ପରେ ଏମକ୍ୟୁଏମ୍-ପିର ନିଷ୍ପତ୍ତି ଆସିଥିବା ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ ଏହି ବୁଝାମଣା ଉପରେ ନ୍ୟାଶନାଲ ଆସେମ୍ବଲିରେ ବିରୋଧୀ ଦଳର ନେତା ଶାହବାଜ ଶରୀଫ, ପିଡିଏମର ମୁଖ୍ୟ ମୌଲାନା ଫଜଲୁର ରହମାନ ଓ ଆସିଫ ଅଲି ଜର୍ଦ୍ଦାରୀ ଦସ୍ତଖତ କରିଛନ୍ତି ।