ପାକିସ୍ତାନ ଆମ ପାଇଁ ଦ୍ଵିତୀୟ ଘର ସଦୃଶ : ତାଲିବାନ
କାବୁଲ : ତାଲିବାନୀ ଆତଙ୍କ ଏବେ ସାରା ବିଶ୍ୱରେ ଦେଖା ଦେଇଛି । ଆଫଗାନିସ୍ତାନକୁ ନିଜ ଦଖଲରେ ନେବା ପରେ ତାଲିବାନ ଧୀରେ ଧୀରେ ତାର କ୍ରୁର ରୂପ ଦେଖାଉଛି । ଇତିମଧ୍ୟରେ ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ପାକିସ୍ତାନ ଆମ ପାଇଁ ଦ୍ଵିତୀୟ ଘର ସଦୃଶ । ପାକିସ୍ତାନର ହିତକୁ ହାନି ପହଞ୍ଚାଇବା ଭଳି କୌଣସି କାମ କରିବୁ ନାହିଁ ବୋଲି ତାଲିବାନ କହିଛି । ତାଲିବାନର ଏହି ମନ୍ତବ୍ୟ ପରେ ପାକିସ୍ତାନ ସହ ଏହି ଆତଙ୍କବାଦୀ ସଂଗଠନର ସଂପୃକ୍ତି ପୁଣି ଥରେ ପ୍ରମାଣିତ ହୋଇଯାଇଛି ।
ସେହିପରି ଧର୍ମ ଦୃଷ୍ଟିରୁ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ରହିଛି । ଆଗକୁ ଏହି ସମ୍ପର୍କକୁ ଆହୁରି ମଝବୁତ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଲିବାନ ଭାରତ ସମେତ ଏହି ଅଞ୍ଚଳରେ ଥିବା ସବୁ ଦେଶଙ୍କ ସହ ସୁସମ୍ପର୍କ ରଖିବାକୁ ଚାହେଁ । ଆଫଗାନିସ୍ତାନର ମାଟିକୁ ଅନ୍ୟ କୌଣସି ଦେଶ ବିରୋଧରେ ବ୍ୟବହାର ହେବାକୁ ଦିଆଯିବ ନାହିଁ । ଆଫଗାନିସ୍ତାନରେ ଆଇଏସ ଉପସ୍ଥିତି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଏଠାରେ ଆଇଏସର କୌଣସି ସ୍ଥିତି ନାହିଁ । କଶ୍ମୀର ପ୍ରସଙ୍ଗର ନାଁ ନ ନେଇ ସେ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ଏକାଠି ବସି ନିଜ ମଧ୍ୟରେ ଥିବା ବିବାଦର ସମାଧାନ କରିବା ଆବଶ୍ୟକ । କିଛି ଦିନ ତଳେ ପାକିସ୍ତାନର ଶାସକ ଦଳ ତେହେରିକ-ଏ-ତାଲିବାନ ପାକିସ୍ତାନର ଜଣେ ନେତ୍ରୀ ପାକିସ୍ତାନ ଓ ତାଲିବାନ ମଧ୍ୟରେ ସମ୍ପର୍କ ଥିବା ସ୍ବୀକାର କରିଥିଲେ ।