ପାକିସ୍ତାନ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି, ୧୦୦ରୁ ଅଧିକ ଆହତ
ଇସ୍ଲାମାବାଦ : ପାକିସ୍ତାନ ଖୈବର ପଖତୁନ୍ଖ୍ୱାର ବଜୋର ଜିଲା ଖରରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ସେହିପରି ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ୧୦ କେଜି ବିସ୍ଫୋରକ ବ୍ୟବହାର କରାଯାଇଥିଲା ବୋଲି ଖୈବର ପଖତୁନଖ୍ୱାରର ସ୍ୱାସ୍ଥ୍ୟମନ୍ତ୍ରୀ ରିଆଜ ଅନୱାର ଗଣମାଧ୍ୟମ ଏଏଫ୍ପିକୁ ସୂଚନା ଦେଇଛନ୍ତି।
ଗତ ରବିବାର ଉତ୍ତର ପଶ୍ଚିମ ପାକିସ୍ତାନରେ ଅପରାହ୍ନ ୪ଟାରେ ବଜୌର ଜିଲ୍ଲା ଖର ସହରରେ ସରକାର ସହଯୋଗୀ ଦଳ ଜମିୟତ ଉଲେମା-ଇ-ଇସ୍ଲାମ ଏଫ୍ ରାଜନାନୈତିକ ସଭା କରୁଥିବା ବେଳେ ଏହି ଆତ୍ମଘାତି ବିସ୍ଫୋରଣ ହୋଇଛି। ଆତ୍ମଘାତି ବିସ୍ଫୋରକ ଜଣକ ଆସି ସଭା ଭିତରେ ପ୍ରବେଶ କରି ନିଜକୁ ବୋମାରେ ଉଡ଼ାଇ ଦେଇଥିଲେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ରିୱାଜ ଅନୱାର କହିଛନ୍ତି। ଜେୟୁଆଇ-ଏଫ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରଯାଇଥିବା କୁହାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି। ତେବେ ସ୍ଥାନୀୟ ଆଇଏସ୍ଆଇଏସ୍ ସଂଗଠନର ଆତଙ୍କବାଦୀମାନେ ଏହି ଆକ୍ରମଣ ଘଟାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। କାରଣ ପୂର୍ବଥର ମଧ୍ୟ ଦଳ ଉପରେ ଆଇଏସ୍ଆଇଏସ୍ ଏମିତି ଟାର୍ଗେଟ୍ କରିଥିଲା।
ସୂଚନା ଯେ, ଆଉ ୫ ସପ୍ତାହ ପରେ ପାକିସ୍ତାନ ବିଭିନ୍ନ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ଅକ୍ଟୋବର ଓ ନଭେମ୍ବରରେ ନିର୍ବାଚନ ହେବ। ଏଥିପାଇଁ ଦଳଗୁଡ଼ିକ ନିର୍ବାଚନ ପ୍ରଚାରର ଲାଗି ପଡ଼ିଛନ୍ତି। ଏହି ସମୟରେ ଭୟଙ୍କର ବିସ୍ଫୋରଣ ହେବା ପାକିସ୍ତାନରେ ଚିନ୍ତାର କାରଣ ପଲଟିଛି।