ପାକିସ୍ତାନ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ଅମୀମାଂସିତ
୪୨୫ ବଲ୍ ଖେଳି ପାକିସ୍ତାନର ସମ୍ମାନ ରଖିଲେ ବାବର ଆଜମ
କରାଚି : ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କରାଚିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ଶେଷରେ ଅମୀମାଂସିତ ରହିଛି । ମୁକାବିଲାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ ପାକିସ୍ତାନ ଅଧିନାୟକ ବାବର ଆଜମ । ତିନି ମ୍ୟାଚ୍ ବିଶିଷ୍ଟ ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି ପାକିସ୍ତାନ ଅଧିନାୟକ । ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୫୦୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ମ୍ୟାଚ୍ ଶେଷ ବେଳକୁ ୭ ୱିକେଟ୍ ହରାଇ ୪୪୩ ରନ କରିଛି । ତେବେ ବାବର ଆଜମ ୧୯୬ ରନର ମାରାଥନ ଇନିଂସ ଖେଳି ପାକିସ୍ତାନର ସମ୍ମାନ ରଖିବା ସହ କଙ୍ଗାରୁ ଦଳକୁ ନିରାଶ କରିଛନ୍ତି । ହେଲେ ନିଜର ଐତିହାସିକ ଦ୍ୱିଶତକରୁ ଅଳ୍ପକେରୁ ବଂଚିତ ହୋଇଛନ୍ତି ବାବର । ତଥାପି ତାଙ୍କର ଏହି ସ୍ମରଣୀୟ ଇନିଂସ ପାକିସ୍ତାନ ବ୍ୟାଟସମ୍ୟାନଙ୍କ ପାଇଁ ନୂତନ କୀର୍ତିମାନ ରଚିଛି ।
ଅଧିନାୟକ ବାବର ଆଜମଙ୍କ ଏହି ସାହସିକ ଇନିଂସ ଦମରେ ପାକିସ୍ତାନ ମ୍ୟାଚ୍କୁ ଡ୍ର କରାଇବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆ ଦଳ କେବଳ ୭ ୱିକେଟ୍ ହାସଲ କରିପାରିବାରେ ସକ୍ଷମ ହୋଇଥିଲା ।
ବାବରଙ୍କ ବ୍ୟତୀତ ଶେଷ ଆଡକୁ ମହମ୍ମଦ ରିଜୱାନ ମଧ୍ୟ ଶତକୀୟ ଇନିଂସ ଖେଳି ଅଷ୍ଟ୍ରେଲିଆର ବିଜୟ ସ୍ୱପ୍ନକୁ ଧୂଳିସାତ କରିଛନ୍ତି । ରିଜୱାନ ୧୭୭ ବଲରୁ ୧୦୪ ରନର ଉଲ୍ଲେଖନୀୟ ପାଳି ଖେଳିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଇନିଂସରେ ବାବର ଆଜମ ମୋଟ୍ ୪୨୫ ବଲ୍ ଖେଳି ୧୯୬ ରନ କରିଛନ୍ତି । ଏଥିରେ ୨୧ ଚୌକା ଏବଂ ଗୋଟିଏ ଛକା ସାମିଲ୍ । ବାବର ୪୬.୧୧ ଷ୍ଟ୍ରାଇକ ରେଟ୍ରେ ରନ ସଂଗ୍ରହ କରିଥିଲେ । ବାବରଙ୍କ ଏହି ଇନିଂସ ଏଥିପାଇଁ ବହୁତ ଗୁରୁତ୍ୱ ରହିଛି କାରଣ ସେ ଯେଉଁଭଳି ଏକାକୀ ଦମରେ ଅଷ୍ଟ୍ରେଲିଆ ଦଳର ସାମ୍ନା କଲେ ତାହା ବାସ୍ତବରେ ସାହସିକ ଥିଲା ।ଅଷ୍ଟ୍ରେଲିଆ ସ୍ପିନର ନାଥଲ ଲାୟନ ତାଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ । ବାବରଙ୍କ ଏହି ଇନିଂସକୁ ପ୍ରତ୍ୟେକ କ୍ରିକେଟ ପ୍ରେମୀ, କ୍ରିକେଟ୍ ବିଶେଷଜ୍ଞ ଏବଂ ପୂର୍ବତନ ଖେଳାଳି ସଲାମ କରିଛନ୍ତି । ଅଷ୍ଟ୍ରେଲିଆ ଦଳ ମଧ୍ୟ ଆଉଟ୍ ହେବା ପରେ ବାବରଙ୍କ ସହ ହାତ ମିଳାଇଥିଲେ । ପ୍ରଶଂସକ ଏବଂ ପାକିସ୍ତାନୀ ଡ୍ରେସିଂ ରୁମ ତରଫରୁ ତାଙ୍କୁ ଛିଡା ହୋଇ ବିଶେଷ ସମ୍ମାନ ମଧ୍ୟ ଦିଆଯାଇଛି ।
କରାଚିରେ ଖେଳାଯାଇଥିବା ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ମୋଟ୍ ୧୨୪୪ ରନ ହେବା ସହ ୨୮ଟି ୱିକେଟ୍ର ପତନ ଘଟିଛି । ହେଲେ ଶେଷରେ ଡ୍ର ସହିତ ମ୍ୟାଚ୍ର ଅନ୍ତ ଘଟିଛି । ୨୧ ରନରେ ୨ଟି ୱିକେଟ୍ ହରାଇବା ପରେ ଲାଗୁଥିଲା ପାକିସ୍ତାନର ପରାଜୟ ନିଶ୍ଚିତ । କିନ୍ତୁ ବାବର ଏବରଂ ଅବଦୁଲା ସଫିକ ୨୨୮ ରନର ଭାଗିଦାରୀ କରି ମ୍ୟାଚ୍ ବଂଚାଇବା ସହ ଜିତିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପାକିସ୍ତାନ ପାଇଁ କୌଣସି ଟେଷ୍ଟର ଚତୁର୍ଥ ଇନିଂସରେ ବ୍ୟକ୍ତିଗତ ଏହା ସବୁଠୁ ବଡ ସ୍କୋର । ଏହା ପୂର୍ବରୁ ଏହି ରେକର୍ଡ ୟୁନୁସ ଖାନଙ୍କ ନାମରେ ଥିଲା । ସେ ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୧୭୧ ରନର ଇନିଂସ ଖେଳିଥିଲେ ।