ଦେବଦୀପ ଫାଉଣ୍ଡେସନ ପକ୍ଷରୁ “ପଖାଳ ଦିବସ” ନିଆରା ଭାବେ ଆୟୋଜିତ
ବାଲେଶ୍ୱର : ଓଡ଼ିଆଙ୍କ ମନ ପଖାଳ କଂସାରେ, ପଖାଳ ଓଡ଼ିଆଙ୍କ ଜୀବନ କହିଲେ ଭୁଲ ହେବ ନାହିଁ । କି ଗରିବ କି ଧନୀ, କି ମଧ୍ୟବିତ୍ତ୍ ସଭିଏଁ ପଖାଳ ଖାଆନ୍ତି । ଆଧୁନିକ ଯୁଗରେ ଜଙ୍କ ଫୁଡ୍କୁ ଯୁବ ସମାଜ ଭଲ ପାଉଥିଲେ ହେଁ ପଖାଳକୁ ଓଡ଼ିଆ ଲୋକେ ଭୁଲି ପାରିନାହାନ୍ତି । ମାର୍ଚ୍ଚ ୨୦କୁ ସାରା ଓଡ଼ିଶା ପଖାଳ ଦିବସ ଭାବେ ପାଳନ କରୁଛି, ଏହି ଅବସରରେ ଅଗ୍ରଣୀ ସାମାଜିକ ସଂଗଠନ ଦେବଦୀବ ଫାଉଣ୍ଡେସନ ପକ୍ଷରୁ ରବିବାର ସ୍ଥାନୀୟ ଷ୍ଟେସନ କ୍ଲବରେ ପଖାଳ ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ ହୋଇଥିଲା ।
ବିଧାୟକଙ୍କ ଠାରୁ ଆରମ୍ଭ କରି ସହରର ସବୁ ବର୍ଗର ଲୋକେ ଦହିଛୁଙ୍କ ଦଆ ପଖାଳ ସହ କଲରା ଆଳୁ ଚିପ୍ସ,ବାଇଗଣ ଭର୍ତ୍ତା, ଆଳୁ ଭର୍ତ୍ତା, ବିଲାତି ଚଟୁଣି, ଶାଗ, ବଡ଼ି ଚୁରା, ମାଛ ଭଜା, ଚିଙ୍ଗୁଡ଼ି ଛେଚା, ବିହନ ବଡ଼ା, ମୋଉରାଳି ମାଛ ଭଜା, ବୋଇତାଳୁ ଫୁଲ ଭଜା, ଛତୁ ଆଳୁ ଭଜା ଭଳି ଅଠର ପ୍ରକାର ତରକାରୀ ଓ ଆଚାର ଖାଇ ଏହି ଦିବସକୁ ଉପଭୋଗ କରିଛନ୍ତି ନିମନ୍ତ୍ରିତ ଅତିଥି । କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ନଗରପାଳ ଆଲୋକ ସାହୁ, ଉପ-ନଗରପାଳ କୈଳାସ ସେଠୀ, ପୂର୍ବତନ ଉପ-ନଗରପାଳ ମନୋଜ ରାଉତଙ୍କ ସମେତ ବହୁ କାଉନସିଲର, ବୁଦ୍ଧିଜୀବୀ, ସମାଜସେବୀ, ଖବରଦାତା ମାନେ ଉପସ୍ଥିତ ଥିବାବେଳେ ଦେବ ଦୀପ ଫାଉଣ୍ଡେସନର ଅଧ୍ୟକ୍ଷା ରଶ୍ମିରେଖା ନାୟକ, କାର୍ଯ୍ୟକାରୀ ସଭାପତି ଇତିକୃଷ୍ଣା ସ୍ୱାଇଁ, ଉପ-ସଭାପତି ସ୍ୱାଗତିକା ବାରିକ ଏବଂ ସାଧାରଣ ସମ୍ପାଦିକା ପିଙ୍କି ରାଣୀ ସାହୁ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।