ପଦ୍ମପୁର ଉପ-ନିର୍ବାଚନ : ଶେଷ ଦିନରେ ନାମାଙ୍କନ କଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ
ପଦ୍ମପୁର/ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଉପନିର୍ବାଚନ ମଇଦାନରେ ରହିଛନ୍ତି ସମୁଦାୟ ୧୩ ଜଣ ପ୍ରାର୍ଥୀ । ଶେଷ ଦିନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଧାୟକ ପ୍ରଦୀପ ପୁରୋହିତ , କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ଓଡ଼ିଶା ଜନତା ପାର୍ଟି (ଓଜେପି) ତରଫରୁ ମୁକ୍ତେଶ୍ୱର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏମାନଙ୍କ ବ୍ୟତୀତ ଜୟନ୍ତ ଥପା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ,ମୁକ୍ତେଶ୍ୱର ଦାସ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ , ବିଦ୍ୟାଧର ପାଣ୍ଡବ ,ଗଙ୍ଗାଧର ସାହାଓ ଦେବବ୍ରତ ସୁନାନୀ ମଧ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।
ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ôଥପତ୍ର ଦାଖଲର ଶେଷ ଦିନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଭରିଛନ୍ତି । ଏହି ସମୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ବିଜେଡି ପ୍ରାର୍ଥୀନୀ ବର୍ଷାରାଣୀ ସିଂ ବରିହା ବିଜେଡି ନେତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଶତାଧିକ ସମର୍ଥକଙ୍କ ସହ ଆସି ନାମାଙ୍କ ଦାଖଲ କରିଥିଲେ । ନାମାଙ୍କନ ପୂର୍ବରୁ ବୁଢ଼ା ରାଜାଙ୍କ ଆର୍ଶୀବାଦ ନେଇଥିଲେ ବର୍ଷା ସିଂ ବରିହା । ସେପଟେ ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ଯାଇଥିଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ତାଙ୍କ ସାଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ ।
ପଦ୍ମପୁର ବିଧାନସଭାର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୧୮ ତାରିଖରେ ମନୋନୟନ ପତ୍ର ଯାଂଚ କରାଯିବ ଏବଂ ୨୧ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ରହିଛି । ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟଦାନ କରାଯିବ ।