ରାଷ୍ଟ୍ରୀୟ ସମ୍ମାନର ସହ ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ମାନ ହେବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପଦ୍ମଶ୍ରୀ ସ୍ବର୍ଗତ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି । ସେହିପରି ରଜତ କରଙ୍କ ଭୁବନେଶ୍ଵର ସ୍ଥିତ ବାସଭବନରେ ଆଜି ଶେଷ ଦର୍ଶନ ହେବ। ସୋମବାର ସକାଳ ୧୦ ଟା ସମୟରେ ରଜତ କରଙ୍କ ପାର୍ଥୀବ ଶରୀର ପୁରୀ ଅଭିମୁଖେ ବାହାରିବ। ପୁରୀ ସ୍ବର୍ଗଦ୍ବାରରେ ସ୍ବର୍ଗତ ଶ୍ରୀ କରଙ୍କ ଶେଷ କୃତ୍ୟ ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି।ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି। ସୂଚନା ଯେ, ରବିବାର ସନ୍ଧ୍ୟାରେ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ ହୋଇଥିଲା । ସେ ହୃଦଘାତରେ ପୀଡିତ ଥିଲେ ଏବଂ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତବର୍ଷ ତାଙ୍କୁୂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।