ଓୱେସୀଙ୍କୁ ମିଳିଲା ଜେଡ୍ ସୁରକ୍ଷା
ନୂଆଦିଲ୍ଲୀ : ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଭାରତ ସରକାର ଶୁକ୍ରବାର ଜେଡସ୍ତରୀୟ ସୁରକ୍ଷା ଯୋଗାଇ ଦେଇଛନ୍ତି । ଏହାର ଅର୍ଥ ତାଙ୍କ ସୁରକ୍ଷାକାମରେ ଏବେ ୨୨ ଜଣ ଯବାନ ରହିବେ । ଏମାନଙ୍କ ମଧ୍ୟରେ ୪ରୁ ୬ ଜଣ ଏନଏସ୍ଜି କମାଣ୍ଡୋ ରହିବାର ବ୍ୟବସ୍ଥା ରହିଛି । ସିଆରପିଏଫ ପକ୍ଷରୁ ଓୱେସୀଙ୍କୁ ୨୪ ଘଂଟା ସୁରକ୍ଷା ଦିଆଯିବ ବୋଲି ଜଣାପଡ଼ିଛି ।
ଗୁରୁବାର ଓୱେସୀ ଉତର ପ୍ରଦେଶର ମୀରଟ ଅନ୍ତର୍ଗତ କିଥାଉରରେ ପ୍ରଚାର କରିବାକୁ ଯାଇଥିଲେ । ସେଠାରୁ ଦିଲ୍ଲୀ ଫେରୁଥିଲେ । ତେବେ ତାଙ୍କ ଗାଡ଼ି ଉପରକୁ ଚାଜାରସି ଟୋଲ ପ୍ଲାଜା ନିକଟରେ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ରେ ଗାଡ଼ିର ଚକା ଫାଟି ଯାଇଥିବା ବେଳେ ଗାଡ଼ିରେ ମଧ୍ୟ ଦୁଇଟି ଗୁଳି ମାଡ଼ ହେବାର ଚିହ୍ନ ରହିଥିଲା । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ଭାରତ ସରକାର ଓୱେସୀଙ୍କ ପାଇଁ ଜେଡସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଛନ୍ତି । ଗୁଳିମାଡ଼ ଘଟଣାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଓୱେସୀ ଓ ତାଙ୍କ ଭାଇ ଅକବରଦୁଦ୍ଦିନ ଦେଉଥିବା ବୟାନରେ କ୍ଷୁବ୍ଧ ହୋଇ ଗିରଫ ଯୁବକ ଦ୍ୱୟ ତାଙ୍କୁ ଗୁଳିମାଡ଼ କରିଥିବା ପୁଲିସ୍ ଆଗରେ କହିଥିବା ଜଣାପଡ଼ିଛି । ପୁଲିସ୍ ସେମାନଙ୍କ ନିକଟରୁ ଭାରତରେ ତିଆରି ଗୋଟିଏ ବନ୍ଧୁକ ଜବତ କରିଛି ।
ଅନ୍ୟପକ୍ଷରେ ଓୱେସୀ ଜେଡସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ କି ନାହିଁ, ତା’ ମଧ୍ୟ ଏବେ ବଡ଼ ପ୍ରଶ୍ନ । କାରଣ ସେ ଭାରତ ସରକାରଙ୍କ ଏପରି ଘୋଷଣା ପୂର୍ବରୁ କୌଣସି ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ କରୁ ନଥିବା କହିଥିଲେ । ସେ କହିଥିଲେ, “ମୁଁ ୧୯୯୪ରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଛି । ମୁଁ କେବେ ହେଲେ ସୁରକ୍ଷା ମାଗିନି କିମ୍ବା କେବେ ହେଲେ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରିବିନି । ମୋ ସୁରକ୍ଷା ଦାୟିତ୍ୱ ସରକାରଙ୍କ ଉପରେ ରହିଛି । ଗୁରୁବାର ହମଲା ପଛରେ ନିଶ୍ଚିତ କେହି ମାଷ୍ଟରମାଇଣ୍ଡ ରହିଛି । ଏ ସମ୍ପର୍କରେ ମୁଁ ନିର୍ବାଚନ କମିଶନଙ୍କୁ ଜଣାଇବି । କିଛି ଦିନ ତଳେ ପ୍ରୟାଗରାଜରେ ଅନୁଷ୍ଠିତ ଧର୍ମ ସଂସଦରେ ମୋ ଜୀବନ ନେବାକୁ ଆଲୋଚନା ହୋଇଥିଲା । ଏହାର ପ୍ରମାଣ ମଧ୍ୟ ମୋ ପାଖରେ ରହିଛି । ଗତକାଲି ଗୁଳିମାଡ଼ ଘଟଣାରେ ୨ ଜଣ ଯୁବକ ଥିଲେ । ସେମାନେ କୌଣସି ଦେଶୀ ବନ୍ଧକରୁ ଗୁଳି ଚଳାଇ ନାହାନ୍ତି । ଫାୟାରିଂ ଶବ୍ଦରୁ ଜଣା ପଡ଼ୁଛି ଯେ ସେମାନେ ୯ ଏମଏମ ପିସ୍ତଲ କିମ୍ବା ସେଭଳି କୌଣସି ବନ୍ଧୁକ ବ୍ୟବହାର କରିଥିଲେ । ଏପରି ଯୁବକମାନେ ମୁକ୍ତ ଭାବେ ଭାରତରେ ବୁଲୁଛନ୍ତି । ଏହା ଏକ ଚିନ୍ତାର ବିଷୟ । ପ୍ରଧାନମନ୍ତ୍ରୀ ଓ ଉତର ପ୍ରଦେଶ ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ନେଉ ଓ ତଦନ୍ତ କରୁ ।”