ବାହାରୁ ଆସୁଥିବା ଯାତ୍ରୀଙ୍କୁ ନିୟମିତ ତର୍ଜମା କରାଯାଉଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ମହାମାରୀ କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହାର ସଂକ୍ରମଣକୁ ରୋକିବା ପାଇଁ ନିୟମିତ ଭାବେ ବାହାର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କୁ ତର୍ଜମା କରାଯାଉଛି । କେତେ ଲୋକ ରାଜ୍ୟକୁ ଆସୁଛନ୍ତି ଏ ସମ୍ପର୍କରେ ଜିଲାଗୁଡିକୁ ଜଣା ହେଉଛି । ଏମାନଙ୍କୁ ଚିହ୍ନଟ କରି ସଂଗରୋଧରେ ରଖିବାକୁ ଜିଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବା ପରେ ଅଷ୍ଟମ ଦିନରେ ସେମାନଙ୍କର ଟେଷ୍ଟିଂ କରାଯିବ । ପଜିଟିଭ ବାହାରିଲେ, ଜିନୋମ ସିକ୍ବେନ୍ସିଂ ମଧ୍ୟ କରାଯିବ । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏପର୍ଯ୍ୟନ୍ତ ଆମ ରାଜ୍ୟରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ଥିବା ଜଣାପଡିଛି, ଆମକୁ ସତର୍କ ରହିବାକୁ ପଡ଼ିବ । ଯେଉଁମାନେ ଅନ୍ୟ ରାଷ୍ଟ୍ରରୁ ଆସୁଛନ୍ତି ଓ ଗାଁ ଗଣ୍ଡାରେ ପହଞ୍ଚିଛନ୍ତି, ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାନ୍ତୁ ବୋଲି କହିଛନ୍ତି ନିରଞ୍ଜନ ।
ବାହାର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରହିବାକୁ ସେ ନିବେଦନ କରିଛନ୍ତି । ଅତିକମରେ ୭ ଦିନ ସଂଗରୋଧ ଓ ଆଉ ୭ ଦିନ ନିଜସ୍ବ ଅବଜରଭେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ୧୪ ଦିନ ଭିତରେ କିଛି ଲକ୍ଷଣ ଦେଖାଗଲେ, ଟେଷ୍ଟ କରାନ୍ତୁ । ଟେଷ୍ଟ ପଜିଟିଭ ଆସିଲେ ଜିନୋମ ସିକ୍ବେନ୍ସିଂରେ ଜଣାପଡ଼ିବ ଓମିକ୍ରନ ଅଛି କି ନା ନାହିଁ । ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି, ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଅଣାଯାଉଛି ବୋଲି ସେ କହିଛନ୍ତି ।
ଓମିକ୍ରନର ସଂକ୍ରମଣ ହାର ଅଧିକ । ନଭେମ୍ବର ୨୪ ପର ଠାରୁ ଅଳ୍ପ ଦିନ ଭିତରେ ଏହା ୩୬ ରାଷ୍ଟ୍ରକୁ ବ୍ୟାପି ଗଲାଣି ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି । କିନ୍ତୁ ଯେଉଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଅଛି, ସେଠାରେ ଗୁରୁତର କିମ୍ବା ମୃତ୍ୟୁ ହେଉଥିବା ରୋଗୀଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ବି କହୁଛି, ମୃତ୍ୟୁ ବା ଗୁରୁତର ହାର ବହୁତ କମ । ଟିକା କାମ କରୁଛି ନା ନାହିଁ, ସେ ନେଇ ବି ତଥ୍ୟ ନାହିଁ । ଟିକା ନିର୍ମାତା ମଧ୍ୟ କହୁଛନ୍ତି, ଓମିକ୍ରନ ଉପରେ ଟିକା କାମ କରୁଛି । ତେଣୁ ଆତଙ୍କିତ ନ ହୋଇ ଟୀକାକରଣ ଜାରି ରଖିବା ଓ କୋଭିଡ଼ ଅନୁରୂପ ନିୟମ ମାନିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।