ରାଜ୍ୟରେ ୧୦୪ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ ୩୨ଟି କାର୍ଯ୍ୟକ୍ଷମ
ଭୁବନେଶ୍ୱର : ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ଦେଶର ୭୪୦ଟି ବ୍ଲକରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକସଭାରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ସାରୁତା ଏହା କହିଛନ୍ତି।
ସେ କହିଛନ୍ତି ଯେ, ୨୦୧୧ ଜନଗଣନା ଅନୁଯାୟୀ ଯେଉଁ ବ୍ଲକରେ ୫୦ ପ୍ରତିଶତରୁ ଅଧିକ ତଫସିଲଭୁକ୍ତ ଉପଜାତି କିମ୍ବା ୨୦ ହଜାର ଜନଜାତି ରହୁଥିବେ ସେଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ। ଓଡ଼ିଶାର ୧୧୪ଟି ବ୍ଲକ ଏଥିପାଇଁ ଚିହ୍ନଟ କରାଯାଇଥିବା ବେଳେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ୧୦୪ଟି ଏହିଭଳି ବିଦ୍ୟାଳୟ ଖୋଲିବା ଲାଗି ଅର୍ଥ ମଞ୍ଜୁର କରିସାରିଛି। କନ୍ଧମାଳ ଜିଲାର ୮ଟି ଏକଲବ୍ୟ ବିଦ୍ୟାଳୟ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକ ସ୍ଥଳେ ଗୋଟିଏ ବ୍ଲକରେ ୧ରୁ ଅଧିକ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରାଯାଇପାରିବ। ତେବେ ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୧୦୪ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରୁ ଏବେ ୩୨ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଛି।