ଓଏସ୍ଏସ୍ସି ପ୍ରଶ୍ନପତ୍ର ଲିକ୍ ମାମଲା; କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ ବାଲେଶ୍ୱର ଏସ୍ପି
ବାଲେଶ୍ୱର : ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍ଏସ୍ସି) ପ୍ରଶ୍ନପତ୍ର ପ୍ରଘଟ ମାମଲା । ଗିରଫ ୧୭ଜଣଙ୍କ ମଧ୍ୟରୁ କେତେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିଛନ୍ତି । ସେମାନଙ୍କ ଅଥରିଟିଙ୍କୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଡିପାର୍ଟମେଣ୍ଟାଲ ପ୍ରୋସିଡ଼ିଂ ତଥା କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ୱର ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଚିଠି ଲେଖି ଜଣାଇଛନ୍ତି ।
ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ବିହାର ରାଜ୍ୟର ବିଶାଲ କୁମାର ଚୌରସିଆ (୩୫) ପାଟନା ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଙ୍କ ଅଫିସ୍ର ଜଣେ ବରିଷ୍ଠ କର୍ମଚାରୀ ଅଟନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଏଜିଙ୍କୁ ଚିଠି ଲେଖିଛନ୍ତି ବାଲେଶ୍ୱର ଏସ୍ପି । ସେହିପରି ରାଜ୍ୟର ଯାଜପୁର ଜିଲାର ସୁଶାନ୍ତ କୁମାର ସାହୁ (୪୨) ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଡିଇଓଙ୍କୁ ଏବଂ ଗଞ୍ଜାମ ଜିଲାର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ (୩୩) କନ୍ଧମାଳ ଜିଲାରେ ଶିକ୍ଷକତା କରୁଥିବାରୁ କନ୍ଧମାଳ ଡିଇଓଙ୍କୁ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚିଠି ଲେଖିଥିବାର ଜଣାପଡ଼ିଛି । ଏଥିସହିତ ଡିଲ୍ରେ ସମ୍ପୃକ୍ତ ୮୮ ପ୍ରାର୍ଥୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଓଏସ୍ଏସ୍ସିକୁ ଚିଠି ଲେଖିଥିବାବେଳେ ଭବିଷ୍ୟତରେ ଓଏସ୍ଏସ୍ସି ସମସ୍ତ ପରୀକ୍ଷାରୁ ସେମାନଙ୍କୁ ନିବୃତ ରଖିବାକୁ ଚିଠି ଲେଖିଛନ୍ତି ।
ସୂଚନା ଯେ, ଗତ ୧୬ ତାରିଖରେ ଓଏସ୍ଏସ୍ସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ବାଲେଶ୍ୱର ପୋଲିସକୁ ସୂଚନା ମିଳିଥିଲା । ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ସହଦେବଖୁଣ୍ଟା ଥାନା ଅଧୀନସ୍ତ ୧୬ ନଂ. ଜାତୀୟ ରାଜପଥର ବାରୁଣୀ ବ୍ରିଜ୍ ଠାରେ ଏକ ଗ୍ରୁପ୍କୁ ଠାବ କରାଯାଇ ସେମାନଙ୍କ ନିକଟରୁ ତଥ୍ୟ ଅନୁସାରେ ଅନ୍ୟ ଏକ ଗ୍ରୁପ୍କୁ ଦୀଘା ନିକଟର ଏକ ହୋଟେଲରୁ ମୋଟ୍ ୯ଜଣଙ୍କୁ ଗିରଫ କରାଯାଇଥିଲା । ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୩୦୩ ।୨୩) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇଥିଲା । ସେମାନଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ବାଲେଶ୍ୱର ପୋଲିସର ସ୍ୱତନ୍ତ୍ର ଟିମ୍ ବିହାର, ମଧ୍ୟପ୍ରଦେଶ ଓ ଓଡ଼ିଶାରୁ ମାଷ୍ଟରମାଇଣ୍ଡଙ୍କ ସହ ୮ଜଣଙ୍କୁ ଗିରଫ କରିଥିବା ନେଇ ୨୭ ତାରିଖ ବାଲେଶ୍ୱର ଏସ୍ପି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୍ ୧୭ଜଣଙ୍କୁ ଗିରଫ କରାଯାଇଛି ।