ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ ବିରୋଧ, ମିଳିଲା ମାଓ ଲିଫଲେଟ୍

ଉମରକୋଟ : ନବରଙ୍ଗପୁର ଜିଲାରେ ଗତ କିଛି ଦିନ ହେବ ମାଓବାଦୀ ନିଜ ଉପସ୍ଥିତି ଜାହିର କରି ଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ କିଛି ଦିନ ପୂର୍ବରୁ ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ଗଳା କାଟି ହତ୍ୟା କରିଥିଲେ । ସେହିପରି ସୋମବାର ରାଇଘର ଅଞ୍ଚଳରେ ମାଓ ଲିଫଲେଟ୍ ପକେଇଥିବା ବେଳେ ମଙ୍ଗଳବାର ଜିଲର ଝରିଗାଁ ବ୍ଲକରେ ରହିଥିବା ସେଣ୍ଟ୍ରାଲ ନର୍ସରୀ ନିକଟରେ ମାଓ ଲିଫଲେଟ ଦେଖିବାକୁ ମିଳିଛି । ଏଥିରେ ବିଳେଇଲାଟି ଠାରେ ପ୍ରସ୍ତାବିତ ତେଲ ନଦୀ ଉପରେ ବହୁମୁଖି ଜଳ ପ୍ରକଳ୍ପ ଓ ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଗବାଗୁଡା ନିକଟରେ ଥିବା ସତୀଘାଟ ଠାରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ ବିରୋଧ କରାଯାଇଛି ।
ଏହି ପ୍ରକଳ୍ପ ହେଲେ ୧୦୦୦ ପରିବାର ବିସ୍ଥାପିତ ହେବେ । ଲୋକଙ୍କ ଜମି, ଜଙ୍ଗଲ, ଦେବୀ ଦେବତା ଓ ସାଂସ୍କୃତିକ ଅନୁଷ୍ଠାନ ନଷ୍ଟ ହେବ । ଲୋକ ରୋଜଗାର ହରାଇବେ ବୋଲି ଉଲ୍ଲେଖ ରହିଛି । ଏହାଛଡ଼ା ବନ ବିଭାଗର ରେଞ୍ଜର ଓ ଫରେଷ୍ଟର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ମଧ୍ୟ ଜଙ୍ଗଲ ଜମି ପଟ୍ଟା ଦେଉ ନାହାନ୍ତି ବୋଲି ପୋଷ୍ଟରରେ ଲେଖାଯାଇଛି । ଲିଫଲେଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସରକାରକୁ ଟାର୍ଗେଟ୍ କରିଛନ୍ତି ମାଓବାଦୀ । ତେଲ ନଦୀ ବନ୍ଧ କାମ ତୁରନ୍ତ ବନ୍ଦ ନକଲେ ଦଣ୍ଡ ଦିଆଯିବ ବୋଲି ଲିଫଲେଟରେ ଲେଖାଯାଇଛି ।