ଅଗ୍ନିପଥ ଯୋଜନାକୁ ବିରୋଧ : ଆଜି ଜନ୍ତରମନ୍ତରରେ କଂଗ୍ରେସର ଧାରଣା
ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନା ବିରୋଧରେ ଜଳୁଛି ପ୍ରତିବାଦର ନିଆଁ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଆନ୍ଦୋଳନ । ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଆଦି ପ୍ରାୟ ୧୪ଟି ରାଜ୍ୟରେ ହିଂସାତ୍ମକ ରୂପ ନେଇଛି ଆନ୍ଦୋଳନ । ବିଶେଷ କରି ବିହାରରେ ଏହାର ଉଗ୍ର ରୂପ ଦେଖିବାକୁ ମିଳିଛି । କଂଗ୍ରେସ ମଧ୍ୟ ସରକାରଙ୍କ ଏହି ଯୋଜନା ବିରୋଧରେ ରବିବାର ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଆଜି ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି । ଦଳ ଦିଲ୍ଲୀସ୍ଥିତ ଜନ୍ତରମନ୍ତରରେ ଧାରଣା ଦେବ ବୋଲି ଜଣାପଡିଛି ।
ଅଗ୍ନିପଥ ଯୋଜନାକୁ ବିରୋଧ କରି କେଉଁଠି ଟ୍ରେନ ଓ କେଉଁଠି ବସ୍ ରେ ନିଆଁ ଲଗାଇ ଦେଇଛନ୍ତି ପ୍ରତିବାଦକାରୀ । ରେଲୱେ ଷ୍ଟେସନରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଛାତ୍ର । ବିହାରର ୧୨ଟି ଜିଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରାଯାଇଥିବା ବେଳେ ବିଭିନ୍ନ ଛାତ୍ର ସଂଗଠନ ବିହାର ବନ୍ଦ ଡାକରା ଦେଇଛନ୍ତି । ଟ୍ରେନ୍ ଗୁଡ଼ିକୁ ପ୍ରଦର୍ଶନକାରୀ ଟାର୍ଗେଟ୍ କରୁଥିବାରୁ ବିହାରରେ ଦିନ ସମୟରେ ଟ୍ରେନ୍ ଚଳାଇବା ବନ୍ଦ କରାଯାଇଛି । କେବଳ ରାତି ୮ଟା ରୁ ଭୋର୍ ୪ଟା ପର୍ଯ୍ୟନ୍ତ ଚାଲିବ ଟ୍ରେନ୍ ।ସେହିଭଳି ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ପଥର ମାଡ଼ ପରେ ବିହାରରେ ୧୨ ବିଜେପି ନେତାଙ୍କୁ ‘Y’ କ୍ୟାଟାଗୋରି ସୁରକ୍ଷା ଦିଆଯାଇଛି । କେବଳ ବିହାରରେ ୭ ଶହ କୋଟି ଟଙ୍କାର ରେଲୱେ ସଂପତ୍ତି ପୋଡି ସ୍ବାହା ହୋଇଯାଇଛି । ହରିଆଣା, ରାଜସ୍ଥାନରେ ବି ପ୍ରଦର୍ଶନକାରୀ ବସ୍ ଓ ଅନ୍ୟ ଗାଡିମଟର ଭଙ୍ଗାରୁଜା କରିବା ସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ସମାନ ସ୍ଥିତି ଉତ୍ତରପ୍ରଦେଶରେ ବି ଦେଖିବାକୁ ମିଳିଛି । ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଜମ୍ମୁ ଏବଂ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି ଜୋରଦାର ଆନ୍ଦୋଳନ । ଅଗ୍ନିବୀର ଯୋଜନାକୁ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ ।