ମରୁଡ଼ି ଘୋଷଣା ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର : ମରୁଡ଼ିସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବି ପ୍ରସ୍ତାଵ ଆଲୋଚନା ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖି କହିଥିଲେ ଯେ, ମରୁଡି ମନୁଷ୍ୟକୃତ ନୁହେଁ, ଏହା ଜଳବାୟୁ ପରିବର୍ତ୍ତନଜନିତ।
ଏବେ ମୁଲତବି ପ୍ରସ୍ତାଵ ଆଲୋଚନାରେ ଭାଗ ନେଇ ମୋହନ ମାଝୀ କହିଛନ୍ତି ଯେ, ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚିରାଚରିତ ଓ ଦୁର୍ଭାଗ୍ୟଜନକ । ମରୁଡ଼ି ପାଇଁ ପ୍ରକୃତିକୁ ଦୋଷ ଦେଲେ ହେବନି। ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କରାଯାଇ ନାହିଁ । ଉଠା ଜଳସେଚନ କାର୍ଯ୍ୟକ୍ଷମ ହୋଇନାହିଁ, ଜଳାଶୟଗୁଡ଼ିକ ଶୁଖିଲା ହୋଇ ପଡ଼ିଛି। ସରକାର ଜଳସେଚନ କରିବାରେ ବିଫଳ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ପକ୍ଷରୁ ୪ଟି ଟିମ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିକି ଆସିଛି । ଏହି ସମୟରେ ରାଜ୍ୟରେ ଭୟଙ୍କର ମରୁଡ଼ିସ୍ଥିତି ସୃଷ୍ଟି ହୋଇଥିବା ଆମେ ଦେଖିବାକୁ ପାଇଛୁ । କେତେଟା ବ୍ଲକରେ ମାତ୍ର ୩୫ପ୍ରତିଶତ ଜଳସେଚନ ହୋଇଛି ତାହାର ହିସାବ ସରକାର ରଖନ୍ତୁ । ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ସାରିଲାଣି । ତେଣୁ ମରୁଡ଼ି ଘୋଷଣା କରାଯାଇ ଏଥିପାଇଁ ଚାଷୀଙ୍କ ଲାଗି ତୁରନ୍ତ ସରକାର ପ୍ୟାକେଜ ଘୋଷଣା କରନ୍ତୁ ବୋଲି କହିବା ସହ ରାଜ୍ୟରେ ନଦୀ ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଟାସ୍କଫୋର୍ସ ଗଠନ କରିବାକୁ ଦାବି କରିଛନ୍ତି ମୋହନ ମାଝୀ ।