ଖୋଲିଲା ସୁନେଇ ଓ କାଳ ଡ୍ୟାମ୍ ; ବୁଢ଼ାବଳଙ୍ଗରେ ବନ୍ୟା ପରିସ୍ଥିତି
ବାଲେଶ୍ୱର : ବାଲେଶ୍ୱର ଜିଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ବଙ୍ଗୋପସାଗରରେ ସୃ୍ଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଜିଲାରେ ଗତ ଶୁକ୍ରବାର ଠାରୁ ଶନିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି ।
ବଙ୍ଗୋପସାଗରରେ ସୃ୍ଷ୍ଟି ହୋଇଥିବା ଲଘୁଚାପ ଭୋଗରାଇର ଦୀଘା ସମୁଦ୍ରରେ ଅବପାତ ହୋଇଥିବା ବେଳେ ୬୦ରୁ ୭୦କିମି ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ପୂର୍ବରୁ ଗତ ୭ଦିନ ଧରି ଲଗାଣ ବର୍ଷା ଓ ଲଘୁଚାପ ଜନିତ ୨ଦିନର ପ୍ରବଳ ବର୍ଷା ଯୋଗୁଁ ଜିଲାରେ ପ୍ରବାହିତ ଜଳକା ନଦୀରେ ଜଳସ୍ତର ବିପଦ ସଙ୍କେତ ପାରି ହୋଇଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ବିପଦ ସଙ୍କେତ ପାଖାପାଖି ଜଳ ପ୍ରବାହିତ ହେଉଛି । ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ସୁନେଇ ଓ କାଳ ଡ୍ୟାମ୍ରେ ବର୍ଷା ଜଳ ନିଷ୍କାସନ ହେଉଛି । ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା ଦହପଡ଼ା, ନଗ୍ରମ, ବୁଆଁଳ, ସିନ୍ଧିଆ, ବଇଞ୍ଚା, ପରିଖି, ପାତ୍ରପଡ଼ା, ଶ୍ରୀକୋଣା, ଚାନ୍ଦିପୁର, ଓଡ଼ଙ୍ଗୀ, ଓଲନ୍ଦାସାରଗାଁ, ଗୋପୀନାଥପୁର ଆଦି ପଞ୍ଚାୟତରେ ବନ୍ୟା ପାଣି ପଶିବା ଆରମ୍ଭ ହୋଇଛି । ଚାଷଜମି ବୁଡ଼ିବା ସହିତ ଗାଁ ରାସ୍ତା ଓ ତଳିଆ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକର ଘରେ ଘରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସଜାଗ ଥିଲେ ମଧ୍ୟ ବନ୍ୟାରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଗୃହପାଳିତ ପଶୁମାନଙ୍କର ମଧ୍ୟ ସମଦଶା ଘଟିଛି । ସେହିପରି ବାଲେଶ୍ୱର ସହରରେ ଲଗାଣବର୍ଷା ଯୋଗୁଁ ଡ୍ରେନ୍ଗୁଡ଼ିକରୁ ପାଣି ନିଷ୍କାସନ ହୋଇ ନପାରିବାରୁ ସହରର ତଳିଆ ଅଞ୍ଚଳଗୁଡ଼ିକ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଗୁଡ଼ିପଦା ଓ ନୂଆସାହି ଅଞ୍ଚଳରେ ରାସ୍ତାରେ ଆଣ୍ଠୁଏ ଉପରେ ପାଣି ପ୍ରବାହିତ ହେଉଛି । ଏପରିକି ପାଣି ଲୋକଙ୍କ ଘରେ ପଶି ଯାଇଛି । ଏହି ଅଞ୍ଚଳର ଶତାଧିକ ଲୋକଙ୍କ ଘରେ ପାଣି ପଶିଥିବାରୁ ଚାଉଳ, ଗହମ, ସଉଦା ସାମଗ୍ରୀ ଆଦି ନଷ୍ଟ ହୋଇଥିବା ବେଳେ ଭୋକ ଉପାସରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ବ୍ୟବସ୍ଥା କରାଯାଇ ନଥିବାର ଅଭିଯୋଗ ହୋଇଛି ।
ଜିଲା ପ୍ରଶାସନ ପକ୍ଷରୁ ବନ୍ୟାରେ କ୍ଷୟକ୍ଷତି ଆକଳନ କରାଯାଇଛି । ବିଶେଷ କରି ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ନୀଳଗିରି ୫ଟି ବ୍ଲକର ୧୯ଟି ଗ୍ରାମପଞ୍ଚାୟତର ୩୪ଟି ଗାଁ ଅଧିକ କ୍ଷୟକ୍ଷତି ହୋଇଛି । ସେହିପରି ବାଲେଶ୍ୱର ଓ ଜଳେଶ୍ୱର ପୌରାଞ୍ଚଳ ଏବଂ ନୀଳଗିରି ଏନ୍ଏସିର ୩୫ଟି ୱାର୍ଡ଼ ବାତ୍ୟା ପାଇଁ ୫ହଜାର ୨୮୧ ଜଣ କ୍ଷତିଗ୍ରସ୍ତ ହୋଇଥିବାର ରିପୋର୍ଟରେ ଦର୍ଶାଯାଇଛି । ୧୨ଟି ଗାଁରେ କ୍ରମବର୍ଦ୍ଦନଶୀଳ ଭାବେ ବନ୍ୟା ଦୁର୍ଦ୍ଦଶା ବଢ଼ିଚାଲିଛି । ୧୨ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ୭ଟି ସ୍ଥାନରେ ରନ୍ଧା ଖାଦ୍ୟ ସହ ବିଭିନ୍ନ ଜାଗାରେ ଚୁଡ଼ା, ଗୁଡ଼ ଓ ପଲିଥିନ୍ ବଣ୍ଟନ କାର୍ଯ୍ୟ ଜାରି ରହିଛି । ୮ଟି ମେଡ଼ିକାଲ ଟିମ୍ ଦ୍ୱାରା ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ପରୀକ୍ଷାନୀରିକ୍ଷା କରାଯାଇଛି । ବିଦ୍ୟୁତ୍, ପାନୀୟଜଳ, ରାସ୍ତା, କୋଠାଘର ବନ୍ୟାବାତ୍ୟାରେ କ୍ଷୟକ୍ଷତି ହୋଇଥିବାର ପ୍ରାଥମିକ ରିପୋର୍ଟରେ ଦର୍ଶାଇଛନ୍ତି ।
ସୂଚନା ଯେ, ଜିଲାରେ ମୋଟ୍ ୧୧୬୫ ମିମି ବର୍ଷା ହୋଇଥିବା ବେଳେ ହାରାହାରି ୯୭.୦୮ ବର୍ଷା ରେକର୍ଡ଼ କରାଯାଇଛି । ଭୋଗରାଇ ବ୍ଲକରେ ସର୍ବାଧିକ ୨୨୬ ମିମି ବର୍ଷା ହୋଇଥିବା ବେଳେ ବସ୍ତା ୧୩୦ ମିମି, ଜଳେଶ୍ୱର ୧୧୮ ମିମି, ବାଲିଆପାଳ ୧୫୩ ମିମି, ସଦର ୧୧୪ ମିମି, ରେମୁଣା ୧୦୯ ମିମି, ନୀଳଗିରି ୬୪ ମିମି, ସୋର ୪୧ ମିମି, ବାହାନଗା ୮୪ ମିମି, ସିମୁଳିଆ ୨୯ ମିମି, ଔପଦା ୭୮ ମିମି ଓ ଖଇରାରେ ସର୍ବନିମ୍ନ ୧୯ ମିମି ବର୍ଷା ହୋଇଥିବାର ଜିଲା ପ୍ରଶାସନର ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ କରାଯାଇଛି ।