ଓଡ଼ିଶାରେ ଆରମ୍ଭ ହେବ ଅନଲାଇନ୍ ମନ୍ଦିର ଦର୍ଶନ
ଭୁବନେଶ୍ୱର : ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଇଂଟିଗ୍ରେଟେଡ ଟେମ୍ପୁଲ୍ ମ୍ୟାନେଜମେଂଟ ସିଷ୍ଟମ ବା ଆଇଟିଏମଏସ୍ । ଏହା ଜରିଆରେ ଅନଲାଇନ ଜରିଆରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟ ଢାଂଚାରେ ଅନଲାଇନ୍ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଏଥିସହ ଶ୍ରଦ୍ଧାଳୁମାନେ ପୂଜା ଓ ପ୍ରସାଦ ସେବନ ସୁବିଧା ମଧ୍ୟ ପାଇ ପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଦୁଇ ଦୁଇଥର ବିଭିନ୍ନ ପଦାଧିକାରୀଙ୍କ ସହ ବୈଠକ ପରେ ଏନେଇ ନିଷ୍ପତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ହିନ୍ଦୁ ଧର୍ମର ଭାବାବେଗ ଆଘାତ ନ ହେବା ଭଳି ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯିବ । ଏହି ୱେବ୍ ପୋର୍ଟାଲ ମାଧ୍ୟମରେ ବିଭିନ୍ନ ମନ୍ଦିରରେ ହେଉଥିବା କାର୍ଯ୍ୟକ୍ରମ, ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କେଉଁ ସମୟରେ ଖୋଲୁଛି ଓ ବନ୍ଦ ହେଉଛି, ମନ୍ଦିରରେ ହେଉଥିବା ବିଭିନ୍ନ ପ୍ରକାରର ସେବା ସମ୍ପର୍କରେ ଶ୍ରଦ୍ଧାଳୁ ତଥ୍ୟ ପାଇପାରିବେ ।
ଏହାସହ ଯେଉଁ ମନ୍ଦିରକୁ ଚାହିଁବେ ସେହି ମନ୍ଦିରକୁ ଦାନ ମଧ୍ୟ କରିପାରିବେ । ମନ୍ଦିର ଗୁଡ଼ିକର ଜମା ଖାତା ସରକାରୀ ବ୍ୟାଙ୍କରେ ରହିବ । ହେଲେ ଅନଲାଇନ୍ ପେମେଂଟ ପାଇଁ ପେମେଂଟ ଗେଟ୍ ୱେ ଏଚ୍ଡିଏଫ୍ସି ବ୍ୟାଙ୍କର ରହିବ ବୋଲି ନିଷ୍ପତି ହୋଇଛି ।