ସେନାରେ ପ୍ରବେଶ ନିମନ୍ତେ ୩୭୫ଟି ପରୀକ୍ଷା କେନ୍ଦ୍ରରେ ଅନଲାଇନ ପ୍ରବେଶିକା ପରୀକ୍ଷା ଆରମ୍ଭ
ନୂଆଦିଲ୍ଲୀ : ଭାରତୀୟ ସେନା ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ) ଆରମ୍ଭ କରିବା ସହିତ ଅଗ୍ନିବୀର, ଜୁନିଅର କମିସନ୍ଡ ଅଫିସର ଏବଂ ଅନ୍ୟାନ୍ୟ ବର୍ଗରେ ସେନାରେ ପ୍ରବେଶ ନିମନ୍ତେ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି। ଯୋଗ୍ୟ ପଞ୍ଜୀକୃତ ପ୍ରାର୍ଥୀଙ୍କ ପାଇଁ ଅନଲାଇନ୍ ପ୍ରବେଶିକା ପରୀକ୍ଷା ଦେଶର ୧୭୬ଟି ସ୍ଥାନରେ ୩୭୫ଟି ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇ ସାରିଛି । ଏହି ପରୀକ୍ଷା ଚାଲୁ ରହିବ।
ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ମିନି ରତ୍ନ କମ୍ପାନୀ ଏଜୁକେସନ୍ କନ୍ସଲଟାନ୍ସି ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ଠାରୁ ସହାୟତା ଲାଭ କରି ଏହି ଅନ୍ଲାଇନ୍ ପରୀକ୍ଷା ସମ୍ପନ୍ନ କରାଯାଉଛି। ଦେଶରେ ଯୁବକମାନଙ୍କର ବୈଷୟିକ ଜ୍ଞାନକୌଶଳର ସୀମା ଯଥେଷ୍ଟ ଉନ୍ନତ ହୋଇଛି ଏବଂ ବର୍ଦ୍ଧିତ ନେଟ୍ୱାର୍କ ସଂଯୋଗ ଏବଂ ସ୍ମାର୍ଟଫୋନର ପ୍ରସାର ସହିତ ଯୁବକମାନଙ୍କୁ ଏବେ ଶାରୀରିକ ପରୀକ୍ଷା ଦେବା ପାଇଁ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଯାତ୍ରା କରି ବ୍ୟକ୍ତିଗତ ଭାବରେ ଉପସ୍ଥିତ ହୋଇ ପରୀକ୍ଷା ଦେବା ପରିବର୍ତ୍ତେ ଅନଲାଇନ ପରୀକ୍ଷା ଦେବା ବ୍ୟବସ୍ଥା କରାଯାଇଛି। ଏହା ସମଗ୍ର ଦେଶରେ ନିଯୁକ୍ତି ରାଲିରେ ବହୁ ସଂଖ୍ୟକ ପ୍ରାର୍ଥୀଙ୍କ ସମାବେଶକୁ ହ୍ରାସ କରିବ।
ତିନିଟି ପର୍ଯ୍ୟାୟରେ ନୂତନ ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ କରାଯିବ। ପ୍ରଥମ ପର୍ଯ୍ୟାୟରେ www.joinindianarmy.nic.inରେ ଅନଲାଇନରେ ପଞ୍ଜୀକୃତ ହୋଇଥିବା ଏବଂ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ। ଦ୍ୱିତୀୟ ପର୍ଯ୍ୟାୟରେ ସଫଳ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଜୁନ୍ ମାସରୁ ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ସ୍ଥିର ହୋଇଥିବା ସ୍ଥାନରେ ନିଯୁକ୍ତି ରାଲି ପାଇଁ ଡକରା ଦିଆଯିବ ଯେଉଁଠାରେ ସେମାନଙ୍କର ଶାରୀରିକ ସୁସ୍ଥତା ଏବଂ ଶାରୀରିକ ମାପ ପରୀକ୍ଷା କରାଯିବ। ଶେଷରେ ତୃତୀୟ ପର୍ଯ୍ୟାୟରେ ମନୋନୀତ ପ୍ରାର୍ଥୀମାନେ ମେଡିକାଲ ପରୀକ୍ଷା ଦେବେ। ଏହାପରେ ସଫଳ ପ୍ରାର୍ଥୀଙ୍କ ଅନ୍ତିମ ଯୋଗ୍ୟତା ତାଲିକା ଘୋଷଣା କରାଯିବ।