ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ମୃତ, ୩ ଗୁରୁତର
ଯାଜପୁର : ଯାଜପୁର ଜିଲ୍ଲା ଟମକା ରେଞ୍ଜ ଅନ୍ତର୍ଗତ ମହାଗିରି ସୁରକ୍ଷିତ ଜଙ୍ଗଲର ଗଣ୍ଡାନାଳ ପାଖରେ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଦାନଗଦି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ଉପର ଟମକା ଗ୍ରାମର ମନୋଜ ଦାସ (୪୫) ବୋଲି ଜଣାପଡିଛି । ଆହତମାନେ ହେଲେ ସେହି ଗ୍ରାମର ବରିଷ୍ଠ ନାଗରିକ ଦମ୍ପତି କୁନ୍ତଳା (୬୦) ଓ ମଙ୍ଗଲ ନାୟକ (୬୫) ଏବଂ ମାଳତୀ ଦାସ (୫୬)।
ସୂଚନା ଯେ, ଉପର ଟମକା ଗ୍ରାମର କେତେକ ପୁରୁଷ ଓ ମହିଳା ନିକଟସ୍ଥ ମହାଗିରି ଜଙ୍ଗଲ ଭିତରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଦିନ ପ୍ରାୟ ୧୨ଟା ବେଳେ ସେଠାକୁ ପାଣି ପିଇବାକୁ ଆସିଥିବା ୨ଟି ଜଙ୍ଗଲୀ ବାରହା ସହ ସେମାନଙ୍କ ସାମ୍ନାସାମ୍ନି ହୋଇଯାଇଥିଲା। ବାରହା ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କଟକ ବଡମେଡିକାଲ ପଠାଯାଇଥିବା ସୂଚନା ମିଳିଛି।