ମଙ୍ଗଳବାର ଘୋଷଯାତ୍ରା, ରତ୍ନବେଦୀ ଛାଡି ବଡ଼ଦାଣ୍ଡକୁ ଆସିବେ ମହାପ୍ରଭୁ
ପୁରୀ : ଆସନ୍ତା ଜୁନ ୨୦ ତାରିଖ (ମଙ୍ଗଳବାର) ଅର୍ଥାତ ଆଉ ମାତ୍ର ଦିନକ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ରତ୍ନବେଦୀ ଛାଡି ବଡ଼ଦାଣ୍ଡକୁ ଆସିବେ ମହାପ୍ରଭୁ । ଭକ୍ତଙ୍କ ମେଳକୁ ଆସିବେ ଶ୍ରୀଜିଉ । ଏହା ଆଗରୁ ସୋମବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଚଳିତବର୍ଷ ନବଯୌବନ ଦର୍ଶନକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ । ଏଥିପାଇଁ ବ୍ୟବସ୍ଥା କରାଯାଇଛି ।
ତେବେ ସୋମବାର ସକାଳ ୮ଟାରୁ ପରମାଣିକ ଦର୍ଶନ ଚାଲିବ । ୭ହଜାର ପରମାଣିକ ଟିକେଟ୍ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ୧ଘଣ୍ଟା ଦର୍ଶନ ସମୟ ରହିବ । ଏମାନଙ୍କୁ ଦକ୍ଷିଣ ଦ୍ବାର ପଟେ ଭିତରକୁ ଛଡାଯିବ । ଭିଆଇପିଙ୍କୁ ମଧ୍ୟ ପରମାଣିକ ଦର୍ଶନ ଲାଗି ଭକ୍ତଙ୍କ ସହ ଛଡାଯିବ । ଏହାପରେ ସିଂହଦ୍ବାରରେ ଅପେକ୍ଷାରତ ଭକ୍ତ ମହାପ୍ରୂଭଙ୍କୁ ସାହାଣ ମେଲାରେ ଦର୍ଶନ କରିବେ । ଦୁଇ ଘଣ୍ଟା ସାହାଣ ମେଲା ଦର୍ଶନ ହେବ ।
ଏପଟେ ଘୋଷଯାତ୍ରା ପାଇଁ ରଥ କାମ ସରିଛି । ରଥରେ ପାର୍ଶ୍ବ ଦେବତାଙ୍କୁ ସ୍ଥାପନ କରାଯାଇଛି । ରଥରେ ହଂସପଟା ମଧ୍ୟ ଲାଗି ଯାଇଛି । ରଥରେ ଶେଷ ସ୍ଫର୍ଶ ଦେଉଛନ୍ତି ଚିତ୍ରକର ସେବାୟତ । ରୂପକାର ସେବାୟତ ଖୋଦେଇ କରିିଥିବା ପ୍ରତିମୂର୍ତ୍ତିରେ ରଙ୍ଗ ଭରି ଜୀବନ୍ତ କରୁଛନ୍ତି ଚିତ୍ରକର । ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପ୍ରସ୍ତୁତ ପ୍ରଶାସନ, ପ୍ରସ୍ତୁତ ପୋଲିସ । ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ସୁରକ୍ଷା ଦାୟିତ୍ବରେ ୧୬୦ରୁ ୧୭୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ଡିଜିପି କହିଛନ୍ତି । ଭିଡ ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଏବଂ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହର ଭିତରେ ଦୁଇଟି ଓ ସହର ବାହାରେ ଗୋଟିଏ ଏଭଳି ତିନି ଭାଗରେ ଟ୍ରାଫିକ ପରିଚାଳନାକୁ ବିଭକ୍ତ କରାଯାଇଛି । ସହରକୁ ୧୪ଟି ଜୋନ୍ ଏବଂ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି।